କନକ ବ୍ୟୁରୋ : ଟ୍ରେନ ଧକ୍କାରେ ହାତୀ ମୃତ୍ୟୁର କାରଣ ଖୋଜା ଚାଲିଥିବା ବେଳେ ମନେ ହେଉଛି ସତେ ଯେମିତି, ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି ବନ ବିଭାଗ ଓ ରେଳ ବିଭାଗ । ହାତୀ ମୃତ୍ୟୁର କାରଣ ଖୋଜିବାକୁ ଯାଇ ଏଥିପାଇଁ ହାତୀକୁ ହିଁ ଦାୟୀ କରିଦିଆଯାଇଛି । ରେଳ ଟ୍ରାକ ପାଖରେ ହାତୀ ଯାତାୟତ ନେଇ ରେଳ ବିଭାଗ ଓ ବନ ବିଭାଗ ପାଖରେ ଖବର ଥିଲା । କିନ୍ତୁ ଏହା ସତ୍ୱେ ବି ୨ ହାତୀର ଜୀବନ ଚାଲିଗଲା । ସମସ୍ତଙ୍କୁ କ୍ଲିନଚିଟ୍ ଦେବା ପରେ ତଦନ୍ତ ନାଟକ ବି ଆରମ୍ଭ ହୋଇଛି । ଏଥିପାଇଁ ଆସନ୍ତା ୩୦ରେ ଦୁଇ ସିସିଏଫ ଓ ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯିବେ ।
ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? ବନ ବିଭାଗ ନା ରେଳ ବିଭାଗ ? ହାତୀ ମୁଣ୍ଡରେ ଦୋଷ ଲଦି ଖସିବାକୁ ମସୁଧା ? ଟ୍ରେନ ଧକ୍କାରେ ହାତୀ ମୃତ୍ୟୁର କାରଣ ଖୋଜା ଚାଲିଥିବା ବେଳେ ଦୋଷ ମୁଣ୍ଡାଇବାକୁ କେହି ପ୍ରସ୍ତୁତ ନାହାନ୍ତି । ନା ରେଳ ବିଭାଗ, ନା ବନ ବିଭାଗ । କାହା ଅବହେଳା ପାଇଁ ଦୁର୍ଘଟଣା ଘଟିଲା, ତାର କାରଣ ଖୋଜା ଚାଲିଥିବା ବେଳେ ବେଶ ଚାଲାକିର ସହ ହାତୀଙ୍କୁ ଏଥିପାଇଁ ଦାୟୀ କରାଯାଉଛି ।
ହାତୀ ଉପରେ ଦୋଷ ଲଦି ଭୂଲକୁ ଲୁଚାଇବାକୁ ଚେଷ୍ଟା କରୁଛି କି ବନ ବିଭାଗ ? ରେଳ ଟ୍ରାକ ପାଖରେ ହାତୀର ଯାତାୟତ ନେଇ ଉଭୟ ରେଳ ବିଭାଗ ଓ ବନ ବିଭାଗ ପାଖରେ ଖବର ଥିଲା । କିନ୍ତୁ ଦୁର୍ଭାଗ୍ୟର କଥା, ସମସ୍ତ ତଥ୍ୟ ଥାଇ ମଧ୍ୟ ୨ ହାତୀର ଜୀବନ ଚାଲିଗଲା । ସମସ୍ତଙ୍କୁ କ୍ଲିନଚିଟ୍ ଦେବା ପରେ ତଦନ୍ତ ନାଟକ ବି ଆରମ୍ଭ ହୋଇଛି । ଏଥିପାଇଁ ଆସନ୍ତା ୩୦ରେ ଦୁଇ ସିସିଏଫ ଓ ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯିବେ ।
ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ବନବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ହାତୀର ଗତିବିଧି ଜାଣିବା ପାଇଁ ଅନେକ ଗାଁରେ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି । ଏତେ ବ୍ୟବସ୍ଥା ଥିଲେ ସୁଦ୍ଧା, ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରୁନି, ସେନେଇ ପ୍ରଶ୍ନ ଉଠିଛି ।
୨୦୧୧ରୁ ୨୦୧୯ ମଧ୍ୟରେ ୬୦୬ ହାତୀର ମୃତ୍ୟୁ ଘଟିଛି । ସେଥିରୁ ରେଳ ଦୁର୍ଘଟଣାରେ ୨୪ଟି ହାତୀର ଜୀବନ ଯାଇଛି । ପ୍ରଶ୍ନ ଉଠୁଛି,
- ହାତୀ ଚଲାପଥ ଅଞ୍ଚଳରେ ଟ୍ରେନର ଗତି ଧାର୍ଯ୍ୟ ନିୟମ ଅନୁଯାୟୀ ଥିଲା କି ?
- ହାତୀ ଯିବା ନେଇ ଯଦି ସୂଚନା ଥିଲା, ଟ୍ରେନ ଚାଳକଙ୍କୁ ଅବଗତ କରାଯାଇ ଥିଲା କି ?
- ଏମରଜେନସୀ ବ୍ରେକ ମରାଯିବା ସତ୍ୱେ, କିଭଳି ହାତୀ ଦେହରେ ଟ୍ରେନ ପିଟିହେଲା ?
- ହାତୀକୁ ଦୋଷ ଦେଇ କାହାକୁ ଖସାଇବାକୁ ଚେଷ୍ଟା କରାଯାଉଛି ?