ଠାକୁର ଅନିଦ୍ରା, ପ୍ରଶାସକଙ୍କ ସଫେଇ : କହିଲେ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ସଂଧ୍ୟାରେ ଭକ୍ତଙ୍କ ଗହଳି ଲାଗୁଥିବାରୁ ବିଳମ୍ବ ହେଉଛି ନୀତି

184

କନକ ବ୍ୟୁରୋ : ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ । ରାତି ଅନିଦ୍ରା ହେଲେ ମହାପ୍ରଭୁ । ସଂଧ୍ୟାର ନୀତି ବିଳମ୍ବିତ ରାତିରେ ଶେଷ ହୋଇଛି । ଫଳରେ ରାତ୍ର ପହୁଡ଼ ଓ ଦ୍ୱାରଫିଟା ନୀତି ବିନା ଦୈନନ୍ଦିନ କାମ ଆରମ୍ଭ ହୋଇଥିଲା । ପ୍ରତିଦିନ ଭୋର ୪ଟାରୁ ଦ୍ୱାରଫିଟା ନୀତି ଆରମ୍ଭ କରିବାକୁ ସ୍ଥିର ହୋଇଛି । ହେଲେ ପ୍ରତିଦିନ ପ୍ରାୟ ଦେଢ ଘଂଟାରୁ ଦୁଇ ଘଂଟା ବିଳମ୍ବରେ ଦ୍ୱାରଫିଟା ନୀତି ହେଉଛି ।

ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ୨୦୧୯ ମସିହାରେ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ନୀତି ବିଳମ୍ବ ପାଇଁ ପୁରସ୍କାର କାଟିବା ବା ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ଅଧଘଂଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ରହିଛି । ଘଂଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବାକୁ ନିଷ୍ପତି ନିଆଯାଇଥିଲା ।

କିନ୍ତୁ ଏବେ ଏହା କାର୍ଯ୍ୟକାରୀ କରାଯାଉନାହିଁ । ଯାହା ଦ୍ୱାରା ଶୃଙ୍ଖଳା ଆସିପାରୁନାହିଁ । ସେପଟେ ନୀତି ବିଳମ୍ବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ । କହିଛନ୍ତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସଂଧ୍ୟାରେ ଭକ୍ତଙ୍କ ଗହଳି ଲାଗୁଥିବାରୁ ନୀତି ବିଳମ୍ବ ହେଉଛି । ନୀତି ବିଳମ୍ବ ପାଇଁ ନିଦ୍ଧଷ୍ଟ ଭାବରେ କେହି ଦାୟି ନୁହଁନ୍ତି ।