ଲିଭିଗଲା ଜ୍ୟୋତିର ଜୀବନ ଦୀପ , ମୃତ୍ୟୁ ପାଇଁ କିଏ ଦାୟୀ?

213

କନକ ବ୍ୟୁରୋ: କୁନି ପୁଅକୁ କେବେ ଏମିତି ଦେଖିବାକୁ ମିଳିବ ତାହା କେହି କେବେ କଳ୍ପନା ବି କରିନଥିଲେ । ଜୀବନ ଯାତ୍ରାରେ ଖୁବ୍ କମ୍ ବାଟ ଚାଲି ପୁଅ ଏମିତି ଏକ ମୃତ୍ୟୁର ଶିକାର ହେବ ତାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଘର ପାଖ ମୁକୁଳା ନାଳରେ ପଡ଼ି ୧୫ ବର୍ଷୀୟ ଜ୍ୟୋତିଙ୍କ ଜୀବନ ଦୀପ ଲିଭିଯାଇଛି । ଆଉ ଭୁବନେଶ୍ୱର ଏମ୍ସରେ ପୁତୁରାର ମୃତ ଦେହ ଦେଖି ନିର୍ବାକ ହୋଇଯାଇଛନ୍ତି ମାଉସୀ । ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ । ପୁଅର କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ତେବେ ଜ୍ୟୋତିଙ୍କ ଜୀବନ ଦୀପ ଲିଭିଗଲା ସତ କିନ୍ତୁ ଜ୍ୟୋତିଙ୍କ ମୃତ୍ୟୁ ମୁକୁଳା ଡ୍ରେନ୍ ଆଉ ବିଏମସିର ବେପରୁଆମିକୁ ପଦାକୁ ଆଣି ପ୍ରଶ୍ନର କାଠଗଡ଼ାରେ ଛିଡ଼ା କରିଛି ।

ଜ୍ୟୋତିଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

• ଦେଶର ଏନ ନମ୍ବର ସ୍ମାର୍ଟସିଟିର ଟ୍ୟାଗ୍ ମୁଣ୍ଡାଇ ବୁଲୁଥିବା ଭୁବନେଶ୍ୱରର ଡ୍ରେନେଜ୍ ବ୍ୟବସ୍ଥା ଏତେ ସଙ୍ଗୀନ କାହିଁକି?

• ସରକାର ଦେଉଥିବା ଟଙ୍କାକୁ ଡ୍ରେନେଜ୍ କାମରେ କାହିଁକି ଉପଯୋଗ କରୁନି ବିଏମସି?

• ବର୍ଷ ବର୍ଷ ବିତିଯାଉଥିଲେ ବି ସ୍ମାର୍ଟସିଟିର ୱାର୍ଡ ଗୁଡ଼ିକରେ ମୁକୁଳା ପଡ଼ିଥିବା ଡ୍ରେନ୍ ଗୁଡ଼ିକ ଉପରେ ସ୍ଲାବ୍ ପକାଯାଉନି?

• ଅସରାଏ ବର୍ଷା ହେଲେ ଗାଡ଼ି ବୁଡ଼ିଯାଉଛି, ହେଲେ କାମ ଚାଲିଛି କହି ଖସିଯାଉଥିବା ବିଏମସି ଏଥର ଉତ୍ତର ଦେବ କି?

• ଏମିତି ସ୍ମାର୍ଟ ଡ୍ରେନ୍ ଯେ ଏଥିରେ ପଡ଼ି ଜଣକ ପରେ ଜଣେ ଜୀବନ ହାରିଲେଣି କିନ୍ତୁ କେବେ ଲୋକଙ୍କ ଜୀବନର ମୂଲ୍ୟ ବୁଝିବ ପ୍ରଶାସନ?

• ମୃତକଙ୍କ ପରିିବାରକୁ ସମବେଦନା ଜଣାଇ ଖାଲି ଅନୁକମ୍ପା ରାଶି ଦେଇଦେଲେ ସେ ଜୀବନ ଆଉ ଫେରିବ କି?

• ସ୍ମାର୍ଟ ସିଟିରେ ମୁକୁଳା ପଡ଼ିଥିବା ଡ୍ରେନ ପାଇଁ ଦାୟୀ କିଏ?

• ବିଏମସିର ବେପରୁଆ ମନୋଭାବକୁ କାହିଁକି ଦାୟୀ କରାଯିବନି?

• ଅସରାଏ ପାଣିରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ ଭୁବନେଶ୍ୱର?

• କେତେଦିନ ଯାଏଁ ସ୍ମାର୍ଟ ସିଟିରେ ହନ୍ତସନ୍ତ ହେଉଥିବେ ସାଧାରଣ ଲୋକ?

• ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁନାହିଁ କି ବିଏମ୍ସି?

• କେବେ ପଡ଼ିବ ରାଜଧାନୀର ମୁକୁଳା ଡ୍ରେନ ଉପରେ ସ୍ଲାବ?

ଆମେ ଭୋଟ୍ ଦେଉଛୁ, ନେତାଙ୍କୁ ବାଛି ସରକାର ଗଢୁଛୁ । କିନ୍ତୁ କ’ଣ ଅସରାଏ ପାଣିରେ ଭାସେଇବା ପାଇଁ ଭୋଟ୍ ନେଇଛନ୍ତି କି ନେତା? କାହିଁକି ଏତେ ଖାମଖିଆଲି ମନୋଭାବ ଦେଖାଉଛନ୍ତି ବିଏମସିର ଅଧିକାରୀ? ଆଜି ଟ୍ୟୁସନ୍ ଛାତ୍ର ଜ୍ୟୋତିର ଜୀବନ ଚାଲିଗଲା ଏଥିପାଇଁ ଉତ୍ତରଦାୟୀ ରହିବ କି ବିଏମସି?