ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇ ଖସିପଡିଥାଇପାରେ ବସ୍ ! ଦୁର୍ଘଟଣା ପରେ ଚାଲିଲା ଦୋଷ ଲଦାଲଦି ।

182

କନକ ବ୍ୟୁରୋ : ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷ ଖସାଇବାକୁ ଆରମ୍ଭ ହେଲା କି ଉଦ୍ୟମ ? ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ । ଘଟଣାସ୍ଥଳକୁ ଯାଇ ଯାଂଚ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳ । ବସଟି ୨୦୧୬ ମସିହାର ଓ ଏହି ବସରେ ସ୍ପିଡ୍ କଂଟ୍ରୋଲର ଲାଗିଥିଲା ବୋଲି ଯୁକ୍ତି ଦର୍ଶାଯାଇଛି । ତେଣୁ ଘଂଟାପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ । ପୁରୁଣା ପୋଲରେ ଲାଇଟ୍ ବ୍ୟବସ୍ଥା ନାହିଁ ଓ ଏହାର ଦୁର୍ବଳ ବାଡ, ବସଟି ତଳକୁ ଖସିପଡିବାର ଅନ୍ୟ କାରଣ ବୋଲି ମଧ୍ୟ କହିଛନ୍ତି ଯାଂଚକାରୀ  । ତେଣୁ ଏନଏଚଏଆଇ ମୁଣ୍ଡରେ ଦୋଷ ଲଦି ଦିଆଯାଇଛି ।

ଏହି ଭୟଙ୍କର ବସ ଦୁର୍ଘଟଣାକୁ ଅଙ୍ଗେ ନିଭାଇଥିବା ଯାତ୍ରୀ ଗତକାଲି କହିଥିଲେ ବସଟି ଅତି ଦ୍ରୁତ ଗତିରେ ଯାଉଥିଲା, ଏପରିକି ହମ୍ପସ ପଡିଲେ ବି ବେଗ କମୁନଥିଲା ବୋଲି ଅଭିଯୋଗ କରିଥିଲେ ଯାତ୍ରୀ । ହେଲେ ଯାଂଚକାରୀ ଦଳ, ଯାତ୍ରୀଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।

ରାଧାକ୍ରିଷ୍ଣନ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ କମିଟି ଘଟଣାସ୍ଥଳକୁ ଯାଇ ଆଜି ତଦନ୍ତ କରିଛନ୍ତି । ଆଜି ଏହି ଟିମ୍  ମହାନଦୀ ଭିତରକୁ ବୋଟ ଯୋଗେ ଯାଇ ତଦନ୍ତ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ପାଇଁ ଏପ୍ରକାର ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଂଚ କରିଥିଲେ । ଏହି  କମିଟି ତଦନ୍ତ ରିପୋର୍ଟ, ଆରଟିଓଙ୍କ ମାଧ୍ୟମରେ ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ମହାନଦୀ ପୋଲ ଉପରେ ଦୁର୍ଘଟଣାରେ ଜଗନ୍ନାଥ ନାମକ ବସ ୩୦ ଫୁଟ ତଳକୁ ଖସିପଡିଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଥିଲେ । କଟକ ବଡ଼ ମେଡିକାଲରେ ୩୨ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ୬ଜଣ ।