କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଅଜଣା ଚେହେରା ରାତାରାତି ଷ୍ଟାର ପାଲଟିଯାଏ ଏବଂ ଜଣାଶୁଣା ଚେହେରା ମଧ୍ୟ ଆଇପିଏଲରୁ ମଧ୍ୟ ବାଦ୍ ପଡିଥାନ୍ତି । ଚଳିତ ଆଇପିଏଲ ମହାନିଲାମୀରେ ମଧ୍ୟ କିଛି ସେମିତି ଦେଖିବାକୁ ମିଳିଛି । ଅନେକ ବଡ ଚେହେରା, ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ତାଲିକାରେ ଅନେକ ନାଁ ରହିଛି, କିନ୍ତୁ ଜଣାଶୁଣା ଚେହେରା ଭାବେ ରୈନା, ଫିଞ୍ଚ, ସ୍ମିଥ, ମୋର୍ଗାନ, ସକିବ ଅଲ ହାସନଙ୍କ ଭଳି ଖେଳାଳୀ ରହିଛନ୍ତି । ତେବେ ଏମିତି କିଛି ଖେଳାଳୀ ରହିଛନ୍ତି ଯାହା ବାବଦରେ ପୂର୍ବରୁ କେହି ଜାଣିନଥିଲେ ମଧ୍ୟ ଚଳିତ ଆଇପିଏଲ ମହାନିଲାମୀରେ ଚାମ୍ପିୟନ ଦଳ ତାଙ୍କୁ କିଣିଛି । ଆଇପିଏଲରେ ୨ ଥର ଚାମ୍ପିୟନ ହୋଇଥିବା କୋଲକାତା ନାଇଟ ରାଇଡର୍ସ ଏମିତି ଜଣେ ଖେଳାଳୀଙ୍କୁ କିଣିଛି ଯାହାଙ୍କ ବାବଦରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଇପିଏଲ ମହାନିଲାମୀରେ କୋଲକାତା ନାଇଟ ରାଇଡର୍ସ ୨୦ ଲକ୍ଷ ବେସ୍ ପ୍ରାଇସରେ ବ୍ୟାଟର ରମେଶ କୁମାରଙ୍କୁ କିଣିଛି । ପଞ୍ଜାବ ବାସିନ୍ଦା ରମେଶ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏପରିକି ମାତ୍ର ୧୦ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିବା ରମେଶ କୁମାରଙ୍କୁ ମହାନିଲାମୀ ପୂର୍ବରୁ କେହି ହୁଏତ ଜାଣିନଥିଲେ । କିନ୍ତୁ ରମେଶ କୁମାରଙ୍କ ନାଁରେ କୋଲକାତା ମୋହର ମାରିବା ପରେ ସୋସିଆଲ ମିଡ଼ିଆରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୩ ବର୍ଷୀୟ ରମେଶ ପଞ୍ଜାବର ସ୍ଥାନୀୟ ଅଞ୍ଚଳରେ ଟେନିସ ବଲ କ୍ରିକେଟରେ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ । ଟେନିସ ବଲରେ ଲମ୍ବା ଲମ୍ବା ଛକା ମାରୁଥିବା ରମେଶ କୁମାରଙ୍କ ବାବଦରେ ସୋସିଆଲ ମିଡ଼ିଆରୁ ହିଁ ଜାଣିଥିଲା କୋଲକାତା । କାରଣ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ଟେନିସ ବଲରେ ରମେଶ ୧୦ ବଲରୁ ବିସ୍ଫୋରକ ୫୦ ରନ୍ ହାସଲ କରିଥିଲେ । ଯାହାର ଭିଡ଼ିଓ ୟୁ-ଟ୍ୟୁବରେ ବେଶ ଭାଇରାଲ ହୋଇଥିଲା । ଆଉ ଏହା ହିଁ ରମେଶଙ୍କୁ ରାତାରାତି କୋଲକାତା ଫ୍ରାଞ୍ଚାଇଜ ନଜରକୁ ଆଣିଥିଲା । ଆଉ ଆଇପିଏଲ ମହାନିଲାମୀରେ ରମେଶଙ୍କୁ କିଣି ସମସ୍ତଙ୍କୁ ଚକିତ କରିଛି କୋଲକାତା ନାଇଟ ରାଇଡର୍ସ ।