ରାଜଧାନୀରେ କିଏ ବଢ଼ାଉଛି କରୋନା ? ୩୦ ବସ୍ତିରୁ ୪୧୮, ଅଣବସ୍ତିରୁ ୧୪୧୦ ଚିହ୍ନଟ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮

232

ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୮୨୮ ଛୁଇଁଛି । ଏବେବି ୯୫୨ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଥିବାବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ରାଜଧାନୀର ୩୦ଟି ବସ୍ତିରୁ ୪୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବସ୍ତି ବାହାରୁ ୧୪୧୦ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ବସ୍ତି ବାହାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଅଞ୍ଚଳରେ ତୁଳନାରେ ହୁ ହୁ ହୋଇ ବଢ଼ୁଥିବାରୁ ବିଏମ୍‌ସି ପାଇଁ ଚିନ୍ତାର ବିଷୟ ପାଲଟିଛି । ତେଣୁ ବିଏମ୍‌ସି ପକ୍ଷରୁ ବସ୍ତି ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ରାଜଧାନୀର ପ୍ରତ୍ୟେକ ବସ୍ତିରେ ଘରକୁ ଘର ସର୍ଭେଲାନ୍ସ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୫ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦିଆଯିବ। ସଚେତକ କମିଟି ସଚେତନତା ସୃଷ୍ଟି କରିବା ସହ ଲୋକମାନେ କିପରି ସାମାଜିକ ଦୂରତା ନିୟମ ମାନିବେ ସେନେଇ ପଦକ୍ଷେପ ନେବେ। କରୋନା ସଂକ୍ରମିତ ଚିହ୍ନଟ ହେଲେ ସେଠାରେ ତୁରନ୍ତ ବିଶୋଧନ କରାଯିବ। ୫ ହଟସ୍ପଟ୍‌ ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ଲୋକଙ୍କୁ ୧୪ଦିନିଆ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରଖିବା ନିୟମ କଡ଼ାକଡ଼ି ହେବ, ଯେଉଁମାନେ ବାହାରୁ ଆସିବେ ତାଙ୍କର ସମସ୍ତ ତଥ୍ୟ ବିଏମ୍‌ସି ପାଖରେ ରହିବ। ଏହାବାଦ୍ ବସ୍ତିରୁ ଯେଉଁମାନେ କରୋନା ଆକ୍ରାନ୍ତ ହେବେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ବା କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ। ଏହାସହ ପରିବାର ଲୋକ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କର ତୁରନ୍ତ ସ୍ବାବ୍ ସଂଗ୍ରହ ହେବ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ୧୮୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୭୬୪ଜଣଙ୍କର ଲକ୍ଷଣ ଥିଲା, ୧୦୬୪ଜଣଙ୍କର କୌଣସି ଲକ୍ଷଣ ନଥିଲା। ଏଥିରେ ୬୦ବର୍ଷରୁ ଅଧିକ ୬୪ଜଣ ଅଛନ୍ତି। ମୋଟ୍‌ ଉପରେ ଏବେ ଆଇସିୟୁରେ ୮ଜଣ ଚିକିତ୍ସାଧୀନ ଅଛନ୍ତି। କେହି ଭେଣ୍ଟିଲେଟରରେ ନାହାନ୍ତି। ଭୁବନେଶ୍ବରରେ ଏବେ ୫୨% ଆକ୍ରାନ୍ତ ଚିକତ୍ସାଧୀନ ଥିବାବେଳେ ୪୭% ସୁସ୍ଥ ହୋଇଗଲେଣି। ୧% ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ବିଏମ୍‌ସି ପାଇଁ ଗତ ୧୦ଦିନ ଚିନ୍ତାର ବିଷୟ ହୋଇଛି। କାରଣ ଏହି ୧୦ଦିନରେ ମୋଟ୍ ଆକ୍ରାନ୍ତ ସଂଖ୍ୟାର ଅଧାରୁ ଅଧିକ ଏହି ସମୟରେ ଚିହ୍ନଟ ହୋଇଛନ୍ତି। ଜୁଲାଇ ୧୫ରୁ ୨୪ମଧ୍ୟରେ ୯୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୭୩ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ୧୦ଦିନରେ ବସ୍ତିରୁ ୨୦୧ଜଣ ଚିହ୍ନଟ ହୋଇଥିବାବେଳେ ଅଣବସ୍ତିରୁ (ରାଜଧାନୀର ଅନ୍ୟ ଅଞ୍ଚଳରୁ) ୬୫୭ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୩ଜଣଙ୍କର କରୋନା ଲକ୍ଷଣ ଥିବାବେଳେ ୨୬୮ଜଣଙ୍କର ଲକ୍ଷଣ ନଥିଲା । ସୂଚନାଯୋଗ୍ୟ ଯେ, ଜୁଲାଇ ୧୭ରେ ଭୁବନେଶ୍ବରରୁ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁଲାଇ ୨୩ରେ ୧୨୬ଜଣ, ଜୁଲାଇ ୨୪ରେ ୨୪୮ଜଣ, ଜୁଲାଇ ୨୫ରେ ୧୧୧ଜଣ। ଏହି ୪ଦିନରେ ବିଏମ୍‌ସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଥିଲା। ଏହାବାଦ୍ ଦୁଇ ଥର ୯୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।