କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ? ଯାହାଙ୍କୁ ମମତାଙ୍କ ବିପକ୍ଷରେ ଭବାନୀପୁରରୁ ପ୍ରାର୍ଥୀ କରିଛି ବିଜେପି ।

540

କନକ ବ୍ୟୁରୋ : ଭବାନୀପୁର ଉପନିର୍ବାଚନ ପାଇଁ ବିଜେପି ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି । ଅଥାର୍ତ ଭବାନୀପୁରରେ ମମତା-ପ୍ରିୟଙ୍କା ଲଢେଇ ଦେଖିବାକୁ ମିଳିବ । ଗତ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ତେବେ ପ୍ରିୟଙ୍କା ପ୍ରଥମଥର ପାଇଁ ହାଇଭୋଲଟେଜ ଲଢେଇର ସାମ୍ନା କରିବାକୁ ଯାଉଛନ୍ତି । କାରଣ ନିର୍ବାଚନ ମୈଦାନରେ ତାଙ୍କ ବିପକ୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ତେବେ କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ, ଯାହାଙ୍କୁ ମମତାଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି ବିଜେପି ।

ପ୍ରିୟଙ୍କା ଟିବ୍ରେୱାଲ । ପେଶାରେ ଓକିଲ ଥିବା ଏହି ୪୧ ବର୍ଷିୟା ମହିଳାଙ୍କୁ ନେଇ ସେତେବେଳେ ଚର୍ଚ୍ଚା ବଢିଛି ଯେତେବେଳେ ତାଙ୍କୁ ମମତାଙ୍କ ବିପକ୍ଷରେ ଭବାନୀପୁର ଆସନରୁ ପ୍ରାର୍ଥୀ କରିଛି ବିଜେପି । କୋଲକାତା ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଓକିଲ ଥିବା ପ୍ରିୟଙ୍କା ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ରହିଛନ୍ତି । ୨୦୧୪ରେ ପ୍ରିୟଙ୍କା ବିଜେପିରେ ସାମିଲ ହୋଇଥିଲେ । ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଥିଲେ ପ୍ରିୟଙ୍କା । ଆଉ ସେବେଠାରୁ ପ୍ରିୟଙ୍କାକ ଉପରେ ଦଳର ନଜର ଥିଲା । ଆଉ ଆଜି ମମତାଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରି ଋଣହୁଙ୍କାର ଦେଇଛି ବିଜେପି ।

ଏହାଛଡା ପଶ୍ଚିମବଙ୍ଗ ବିଧାନସଭା ସମୟରେ ଓ ଏହାପରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଜେପି ସ୍ୱର ଉଠାଇଥିଲା । ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ଦଳର ନେତା । ସେତେବେଳେ ପ୍ରିୟଙ୍କା ବିଜେପି ପକ୍ଷରୁ ହାଇକୋର୍ଟରେ ହିଂସାକାଣ୍ଡକୁ ନେଇ ପିଟିସନ ଦାୟର କରିଥିଲେ । ଆଉ ପ୍ରିୟଙ୍କାକ ପିଟିସନ ଆଧାରରେ ହାଇକୋର୍ଟ ହିଂସା ସହ ଜଡିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏଭଳି କରି ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚ୍ୟାଲେଞ୍ଜ କରିଥିଲେ । କାରଣ ପଶ୍ଚିମବଙ୍ଗରେ କୌଣସି ହିଂସାକାଣ୍ଡ ହୋଇନଥିବା ନେଇ ମମତା କହୁଥିବା ବେଳେ ହାଇକୋର୍ଟରେ ପିଟିସନ ଦାୟର କରି ମମତାଙ୍କୁ ଚିନ୍ତାକୁ ବଢାଇ ଦେଇଥିଲେ ।

ମମତାଙ୍କ ପାଇଁ ଭବାନୀପୁର ଉପ-ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ନଚେତ ମମତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଖସି ଯାଇପାରେ । କାରଣ ବିଧାୟକ ନଥାଇ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡିଥାଏ । ତେଣୁ ଉଭୟ ମମତା ଓ ଟିଏମସି ପାଇଁ ଏହି ଉପ-ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟପଟେ ଶାସନ କ୍ଷମତାରୁ ମମତାଙ୍କୁ ହଟାଇବାକୁ ବିଜେପି ପାଇଁ ଏହା ସବୁଠୁ ବଡ ସୁଯୋଗ । ଯେଉଁଥିପାଇଁ ପୂରା ଋଣନୀତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପୂର୍ବରୁ କେବଳ ଭବାନୀପୁର ଆସନ ପାଇଁ ସାଂସଦ ଅର୍ଜୁନ ସିଂହଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅର୍ଜୁନଙ୍କ ସହ ସାଂସଦ ସୌମିତ୍ର ଖାନ୍ ଓ ଜ୍ୟୋର୍ତିମୟ ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ ।ଏପରିକି ବୁଥ୍ ସ୍ତରରେ ଭୋଟ ଜଗିବାକୁ ଦଳ ୮ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ବାଣ୍ଟିଛି ।

ଭବାନୀପୁର ଆସନ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବାମମୋର୍ଚ୍ଚାରୁ ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଭବାନୀପୁର ଆସନ ସହ ପଶ୍ଚିମବଙ୍ଗର ଆଉ ଦୁଇ ବିଧାନସଭା ଆସନ ଶମସେରଗଞ୍ଜ ଓ ଜାଙ୍ଗିପୁରରେ ମଧ୍ୟ ନିର୍ବାଚନ ହେବ । ତେବେ ଭବାନୀପୁରରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ ମମତା ।