କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି । ଆଜି ଏହି ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଥିବାବେଳେ, ରାଜ୍ୟର ୬୦ ବିଧାନସଭା ଆସନରୁ ୩୧ଟି ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି ବିଜେପି । ତେବେ ବର୍ତ୍ତମାନ ସୁଦ୍ଧା ଦଳ ୩୧ଟି ଆସନରେ ବିଜୟ ଲାଭ କରିବା ସହିତ ୧୪ଟି ଆସନରେ ଆଗୁଆ ରହିଛି । ଗଣତି ପ୍ରକ୍ରିୟା ଚାଲୁଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ୩୧ ସିଟ୍ ବିଜୟ ସହିତ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଥିବା ସ୍ପଷ୍ଟ ହେଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅରୁଣାଚଳ ପ୍ରଦେଶରେ ବିଜେପିର ଏହି ବମ୍ପର ବିଜୟ ପଛରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ପ୍ରଚ୍ଛଦ ହାତ ରହିଥିବା କୁହାଯାଉଛି । ତାଙ୍କ ନେତୃତ୍ୱରେ ବିଜେପି ସେଠାରେ ମୈଦାନକୁ ଓହ୍ଲାଇଥିବାବେଳେ, ଏବେ ଏକତରଫା ବିଜୟ ହାସଲ କରୁଛି ।

ପେମା ଖାଣ୍ଡୁ କିଏ?

୨୦୧୬ ମସିହାରୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ପେମା ଖାଣ୍ଡୁ । ୨୦୧୬ରେ ସେ ପ୍ରଥମ କରି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଇଥିଲେ । ଏହାପରେ ୨୦୧୯ରେ ତାଙ୍କରି ନେତୃତ୍ୱରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିଲା । ତାଙ୍କ ନେତୃତ୍ୱରେ ବିଜେପି ୨୦୧୯ରେ ୪୧ ଆସନ ହାସଲ କରିଥିଲା । ଏହାପରେ ଏବେ ସେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ।

୧୯୭୯ ମସିହା ଅଗଷ୍ଟ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ପେମା ଖାଣ୍ଡୁଙ୍କ ବାପା ଦୋରଜୀ ଖାଣ୍ଡୁ ମଧ୍ୟ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ୨୦୧୧ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେଇଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ଗ୍ରାଜୁଏସନ୍ ପାସ୍ କରିବା ପରେ ୨୦୦୦ ମସିହାରେ ପେମା ଖାଣ୍ଡୁ କଂଗ୍ରେସରେ ସାମିଲ ହେଇଥିଲେ । ସେତେବେଳେ କଂଗ୍ରେସର ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ବିଭିନ୍ନ ପଦ ପଦବୀରେ ରହିଥିଲେ ପେମା ଖାଣ୍ଡୁ । ତେବେ ୨୦୧୧ ମସିହାରେ ମୁକ୍ତୋ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବିରୋଧ ଭାବେ ବିଧାୟକ ନିର୍ବାଚିତ ହେଇଥିଲେ । ଏହାପରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ କରାଯାଇଥିଲା । ୨୦୧୪ରେ ରାଜ୍ୟର ପର୍ଯ୍ୟଟନ ଏବଂ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ହେଇଥିଲେ ।

କଂଗ୍ରେସ ସହ ବିଦ୍ରୋହ

୨୦୧୬ ମସିହା ଜୁଲାଇ ୧୬ ତାରିଖରେ ପେମା ଖାଣ୍ଡୁ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଇଥିଲେ । ଆଉ ଜୁଲାଇ ୧୭ ତାରିଖରେ ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ହେଲେ ସରକାର ସମ୍ଭାଳିବାର ମାତ୍ର ଦୁଇ ମାସ ଭିତରେ ସେ କଂଗ୍ରେସ ସହ କରିଥିଲେ ବିଦ୍ରୋହ । ସେପ୍ଟେମ୍ବର ୧୬ ତାରିଖରେ ପେମା ଖାଣ୍ଡୁଙ୍କ ନେତୃତ୍ୱରେ ୪୩ ବିଧାୟକ କଂଗ୍ରେସ ଛାଡି ବିଜେପିର ସହଯୋଗୀ ପିପିପିରେ ସାମିଲ ହେଇଥିଲେ, ଆଉ ବିଜେପିର ସହ ମିଶି ସରକାର ଗଢିଥିଲେ । ଆଉ ପରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଯାଇଥିଲେ ।

ଗିଗୋଙ୍ଗ ଓପାଙ୍ଗଙ୍କ ପରେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ବିଜେପି ମୁଖ୍ୟମନ୍ତ୍ରୀ ହେଇଥିଲେ ପେମା ଖାଣ୍ଡୁ । ଏହାପରେ ୨୦୧୯ରେ ତାଙ୍କରି ନେତୃତ୍ୱରେ ବିଜେପି ନିର୍ବାଚନ ଲଢି ସଫଳତା ପାଇଥିଲା । ଆଉ ପେମା ଖାଣ୍ଡୁଙ୍କ ନେତୃତ୍ୱରେ ସରକାର ଗଢା ଯାଇଥିଲା । ୨୦୨୪ରେ ଅରୁଣାଚଳ ପ୍ରଦେଶରେ ବିଜେପିର ଏହି ବମ୍ପର ବିଜୟ ପରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ପେମା ଖାଣ୍ଡୁ ।