କିଏ ଏହି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ? ଯିଏ ହେଲେ ଟ୍ୱିଟରର ନୂଆ ବସ୍

171

କନକ ବ୍ୟୁରୋ: ଟ୍ୱିଟରର ଦାୟିତ୍ୱ ଏବେ ପରାଗ ଅଗ୍ରୱାଲଙ୍କ କାନ୍ଧରେ । ଜ୍ୟାକ ଡୋରସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ସିଇଓ ଦାୟିତ୍ୱ ଦିଆଯାଇଛି । ଏବେ ପରାଗ ଟ୍ୱିଟରରେ ଚିଫ୍ ଟେକ୍ନୋଲୋଜୀ ଅଫିସର ଭାବେ କାମ କରୁଛନ୍ତି । ଏହି ଦାୟିତ୍ୱ ମିଳିବା ପରେ ପରାଗ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ କିଏ ଏହି ଭାରତୀୟ ବଂଶୋଦ୍ଭବ, ଯାହାଙ୍କୁ ଏବେ ଟ୍ୱିଟରର ବସ ଭାବେ ଦାୟିତ୍ୱ ମିଳିଛି । ଆସନ୍ତୁ ଜାଣିବା କିଏ ପରାଗ ଅଗ୍ରୱାଲ ?

ପରାଗଙ୍କ ଜନ୍ମ ଓ ଲାଳନପାଳନ ଭାରତରେ ହିଁ ହୋଇଥିଲା । ତାଙ୍କ ମାଆ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ । ଆଉ ତାଙ୍କ ବାପା ଆଟୋମିକ ଏନର୍ଜି ସେକ୍ଟରରେ ବଡ ପଦରେ ରହିଥିଲେ । ସେଥିପାଇଁ ତାଙ୍କ ସ୍କୁଲିଂ ସେ ଆଟୋମିକ ଏନର୍ଜି ସେଣ୍ଟ୍ରାଲ ସ୍କୁଲ ମୁମ୍ବାଇରେ କରିଥିଲେ । ଆଇଆଇଟି ବମ୍ବେରେ ପାଠ ପଢିବା ପରେ ନିଜ ଭବିଷ୍ୟତ ତିଆରି କରିବାକୁ ଆମେରିକା ଚାଲିଯାଇଥିଲେ ପରାଗ । ଆମେରିକା ଯିବା ପରେ ଷ୍ଟାନପୋର୍ଡ ୟୁନିଭର୍ସିଟିରୁ ଡକ୍ଟରେଟ ହାସଲ କରିଥିଲେ ।

ଆମେରିକାରେ ନିଜ ସଫଳତାର ମଞ୍ଜି ବୁଣିବା ପରେ ବଡ ସ୍ୱପ୍ନ ଦେଖିଥିଲେ ପରାଗ । ମାଇକ୍ରୋସଫ୍ଟ ଓ ୟାହୁ ଭଳି ବଡ ବଡ କମ୍ପାନୀରେ କାମ କରିବା ପରେ ୨୦୧୧ରେ ଟ୍ୱିଟରରେ ଜଏନ କରିଥିଲେ । ଟ୍ୱିଟରରେ ସେ ଆଡ- ରିଲେଟେଡ ପ୍ରଡକ୍ଟରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ କାମ କରିବା ଆରମ୍ଭ କରିଥିଲେ ।

୭ ବର୍ଷ ଧରି କମ୍ପାନୀ ସହ କାମ କରିବା ପରେ ତାଙ୍କୁ ୨୦୧୮ରେ ସିଟିଓ ପଦରେ ନିଯୁକ୍ତ କରାଯାଇଥିଲା । ସିଟିଓ ଅର୍ଥାତ ଚିଫ୍ ଟେକ୍ନୋଲୋଜୀ ଅଫିସର । ନିଜ ଉନ୍ନତ କାମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ପରାଗ । ତାଙ୍କ କାମକୁ ଜ୍ୟାକ ଡୋରସେ ବହୁତ ପସନ୍ଦ କରୁଥିଲେ । ତେଣୁ ତାଙ୍କୁ ଏହି ବଡ ପଦ ମିଳିପାରିଛି ।