କନକ ବ୍ୟୁରୋ : ସରକାର ଯେବେ ଏକଛତ୍ରବାଦ ଶାସନ ଚଳାଏ ସାଧାରଣ ଦେଶବାସୀଙ୍କ ଉତ୍ତେଜନା ସେବେ ସରକାର ବିରୋଧୀ ସଂଘର୍ଷରେ ପରିଣତ ହୁଏ । ପର୍ଯ୍ୟାୟ କ୍ରମେ ବାଂଲାଦେଶ ଛାତ୍ର ଆନ୍ଦୋଳନ ଶେଷରେ ନେଲା ହିଂସାର ରୂପ ଓ ଏହାର ପରିଣତି ସ୍ୱରୂପ ଦେଶ ଛାଡ଼ିଲେ ହସିନା । ଦେଶର କାର୍ଯ୍ୟଭାର ତୁଲାଇବା ପାଇଁ ସେନାର ପ୍ରଚେଷ୍ଟା କ୍ରମେ କାରାବାସରେ ଥିବା ବିଭିନ୍ନ ନେତାଙ୍କୁ ମୁକ୍ତ କରାଗଲା । ବର୍ତ୍ତମାନ ଦେଶର ଶାସନ ଚଳାଇବା ପାଇଁ ବଛା ଯାଇଛି ନୋବେଲ ବିଜେତା ମୁହମ୍ମଦ ୟୁନୁସଙ୍କୁ । ମୁଖ୍ୟ ପରାମର୍ଶଦାତା ଭାବେ ୧୬ ଜଣ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ସହ ୟୁନୁସ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରି ଶପଥ ଗ୍ରହଣ କରିଛନ୍ତି । ଏହି ଅନ୍ତରୀଣ ସରକାର ପ୍ରମୁଖ ଭାବେ ବୁଦ୍ଧିଜିବୀ ଓ ଛାତ୍ରନେତା ମାନଙ୍କୁ ନେଇ ଗଠିତ । ତେବେ ୟୁନୁସ ଦାଇତ୍ୱ ନେବା ପରେ ଛାତ୍ର ମାନଙ୍କ ମଧ୍ୟରେ ଖେଳି ଯାଇଛି ଉତ୍ସାହ କାରଣ ଛାତ୍ର ମାନଙ୍କ ପ୍ରଥମ ପସନ୍ଦ ଥିଲେ ୟୁନୁସ ।
କେବଳ ଅର୍ଥନୀତିଜ୍ଞ ନୁହେଁ ଏକାଧାରରେ ସେ ଜଣେ ଉଦ୍ୟୋପତି, ବ୍ୟାଙ୍କର, ରାଜନୀତି ବିଶାରଦ ଓ ବିଭିନ୍ନ ସାମାଜିକ ସଂଗଠନର ମୁଖିଆ ।୨୦୦୬ର ନୋବେଲ ପୁରସ୍କାରରେ ପୁରସ୍କୃତ ମୁହମ୍ମଦ ୟୁନୁସ ଗରିବ ମାନଙ୍କ ବ୍ୟାଙ୍କର ଭାବେ ଜଣାଶୁଣା । ୟୁନୁସ ଏକ ସାମାଜିକ ଉଦ୍ୟୋଗପତି । ଏହାସହ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ଅର୍ଥନୈତିକ ସାହାଯ୍ୟ କରି ବାଂଲାଦେଶର ଦାରିଦ୍ର୍ୟ ଦୂରୀକରଣ ଦିଗରେ ଅନେକ ଉପୋଦେୟ ପଦକ୍ଷେପ ନେଇଛନ୍ତି । ଏହି ଉଦ୍ୟୋଗ ଦେଶର ଉନ୍ନତି କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହୋଇଥିବା ବେଳେ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲା । ଶାନ୍ତି ପୁରସ୍କାର ପାଇବାରେ ଅଲ୍ପ କିଛି ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ୟୁନୁସଙ୍କ ବ୍ୟକ୍ତିତ୍ୱ ଯେତେ ପ୍ରଭାବଶାଳୀ ସେତେ ସ୍ମରଣୀୟ ।
ଚିତଗଂଗରେ ଜନ୍ମିତ ୟୁନୁସ ୧୯୭୧ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମ ପରେ ଆମେରିକାରେ ରହି କିଛି ଦିନ ବାଂଲାଦେଶ ଇନଫରମେସନ ସେଂଟରର ପରିଚାଳନା କରିବା ସହ ବାଂଲାଦେଶ ନ୍ୟୁଜଲେଟର ନାମରେ ଲେଖା ପ୍ରକାଶ କରୁଥିଲେ । କିଛି ସମୟ ପରେ ସେ ଚିତଗଂଗ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଭାବେ ଯୋଗ ଦେଇଥିଲେ । କ୍ରମଶଃ ସେ ଅଧ୍ୟାପନା ଜୀବନରୁ ସମାଜର ପ୍ରକୃତ ଚିତ୍ର ଦେଖି ଦାରିଦ୍ର୍ୟ ଦୂରୀକରଣ ପାଇଁ ମନ ବଳାଇଥିଲେ । ସେ ନିଜ ପ୍ରୋଜେକ୍ଟ ରିସର୍ଚ୍ଚ ସମୟରେ ଅନୁଭବ କରିଥିଲେ ଯେ ଅଳ୍ପ କିଛିି ଅର୍ଥ ସହାୟତା କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଦେଶରେ ଗରୀବ ମାନଙ୍କ ଉତ୍ତାନରେ ସହାୟ ହେବା । ଏହି ବ୍ୟବସ୍ଥା ସରକାର ଗ୍ରହଣ କରିବା ସହ ପବର୍ତ୍ତୀ ସମୟରେ ଗ୍ରାମୀଣ ବ୍ୟାଙ୍କ ଭାବେ ନାମିତ କରା ଯାଇଥିଲା ।
ହେଲେ ମୁହମ୍ମଦଙ୍କ ଉପରେ ଟଙ୍କା ହେରଫେର ଅଭିଯୋଗ ଅଣା ଯାଇଥିଲା । ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ କିନ୍ତୁ ସାରା ବିଶ୍ୱର ନେତା ମାନେ ଦଣ୍ଡ ଅବଧି କମାଇବା ପାଇଁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିବାରୁ ପରେ ୟୁନୁସ ଜାମିନରେ ମୁକୁଳିଥିଲେ ।
ୟୁନୁସଙ୍କ ପ୍ରଚେଷ୍ଟା ପାଇଁ ବାଂଲାଦେଶର ଅନେକ ଗରିବ ତଥା ମହିଳା ମାନେ ସାହାଯ୍ୟ ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି । ହେଲେ ଏବେ ସରକାର ବିରୋଧୀ ଉତ୍ୟକ୍ତ ଜନତାରେ ପରିପୁର୍ଣ୍ଣ ତତଲା ବାଂଲାଦେଶକୁ ସମ୍ଭାଳିବା ୟୁନୁସଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଛାତ୍ର ମାନଙ୍କ ସହଯୋଗ ଓ ସମର୍ଥନ ଥିବାରୁ ସମସ୍ତେ ଶାସନରେ ସ୍ଥିରତା ରହିବା ନେଇ ଆଶାୟୀ