କିଏ ଏହି ଏପି ସିଂହ ? ଯିଏକି ନିର୍ଭୟା ସୈତାନଙ୍କୁ ମୃତ୍ୟୁର ଖୁଂଟରୁ ଟାଣିଆଣିଥିଲେ ତିନି ତିନିଥର…

38,616

କନକ ବ୍ୟୁରୋ: ଅପେକ୍ଷାର ଘଟିଲା ଅବସାନ । ଶେଷରେ ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ୪ ସୈତାନ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ତେବେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ସତ ହେଲେ ମୃତ୍ୟୁର ଖୁଂଟରୁ ୪ ସୈତାନଙ୍କୁ ତିନି ତିନି ଥର ଫେରାଇ ଆଣିଥିବା ଓକଲି ଏପି ସିଂହ କିନ୍ତୁ ଶେଷ ମୁହୂର୍ତ୍ତ ଯାଏଁ ହାର୍ ମାନିନଥିଲେ । ଆଉ ମୃତ୍ୟୁ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ମଝି ରାତିରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହ ।

ତେବେ ଏଭଳି ପରିସ୍ଥିତିରେ ଆପଣ ବି ଜାଣିବାକୁ ଚାହୁଁଥିବେ କି ଏପି ସିଂହ ପ୍ରକୃତରେ କିଏ ? ଯିଏକି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ସାତ ବର୍ଷ ହେଲା ଚାରି ସୈତାନଙ୍କ ଜୀବନ ରକ୍ଷକ ସାଜିଥିଲେ । ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ବିରୁଦ୍ଧରେ ତିନି ତିନି ଥର ଜାରି ହୋଇଥିବା ମୃତ୍ୟୁର ପରୱାନା ଜାରି ହେବା ପରେ ବି ଆଇନର ସମସ୍ତ ଗଳାବାଟ ଆପଣେଇବା ସହ ସେମାନଙ୍କର ଦୁର୍ବଳତାକୁ ଅସ୍ତ୍ର କରି ତିନି ତିନି ଥର ମୃତ୍ୟୁ ଦଣ୍ଡକୁ ଟାଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ ଏପି ସିଂହ । ଏପି ସିଂହ ଅର୍ଥାତ୍ ଅଜୟ ପ୍ରକାଶ ସିଂହଙ୍କ ପ୍ରକୃତ ଘର ହେଉଛି ଉତରପ୍ରଦେଶ ଏବଂ ରାଜଧାନୀ ଦିଲ୍ଲୀରେ ସେ ଓକିଲାତି କରନ୍ତି । ଏପି ସିଂହ ନିର୍ଭୟା ଦୋଷୀମାନଙ୍କର ମାମଲା ଗତ ସାତ ବର୍ଷରୁ ଲଢି ଆସୁଥିଲେ । ତାଙ୍କର ପୂରା ପରିବାର ମଧ୍ୟ ଦିଲ୍ଲାରେ ରୁହନ୍ତି । ୨୦୧୩ରେ ଯେତେବେଳେ ଦିଲ୍ଲୀର କୌଣସି ବି ଓକିଲ ନିର୍ଭୟା ସୈତାନଙ୍କ କେସ ଲଢିବାକୁ ରାଜି ହୋଇନଥିଲେ ସେତେବେଳେ ଏପି ସିଂହ ହିଁ ଏକମାତ୍ର ଓକିଲ ଥିଲେ ଯିଏକି ୪ ଦୋଷୀଙ୍କ ପାଇଁଲଢିବାକୁ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ ।

ଏପି ସିଂହ ଏକ ଇନଂଟଭିୟୁରେ କହିଥିଲେ କି, ମୁଁ ପରମାତ୍ମା ନୁହେଁ କି ଯମରାଜ ନୁହେଁ , ମୁଁ ଜଣେ ଓକିଲ ଯାହା ମୋ କ୍ଲାଇଣ୍ଟ୍ ମୋତେ କରିବାକୁ କହିବେ ତାଙ୍କୁ ସମ୍ବିଧାନ ଅନୁଯାୟୀ ସବୁ ବିକଳ୍ପ ଯୋଗାଇଦେବି । ଓକିଲ ଏପି.ସିଂହଙ୍କୁ ତାଙ୍କ ମା’ ନିର୍ଭୟା କେସ୍ ଲଢିବା ପାଇଁ କହିଥିବାର ସେ କୁହନ୍ତି । ସେ କୁହନ୍ତି , ଦୋଷୀ ଅକ୍ଷୟ ସିଂହର ପତ୍ନୀ ବିହାରର ତିହାର୍ ଜେଲ୍ ଯାଇଥିବା ବେଳେ ତାଙ୍କୁ କେହି ମୋ ଫୋନ୍ ନମ୍ବର ଦେଇଥିଲେ । ଯାହାପରେ ସେ ଆମ ଘରକୁ ଆସି ମୋ ମା’ଙ୍କ ସହ ଦେଖାହୋଇ ନ୍ୟାୟ ଭିକ୍ଷା କରିଥିଲେ । ମୁଁ ମା’ଙ୍କୁ ବୁଝାଇଥିଲି ଯେ ଏହାର ପରିଣାମ ଭୟାବହ ହୋଇପାରେ କିନ୍ତୁ ମା’ ଅକ୍ଷୟଙ୍କ ପତ୍ନୀଙ୍କୁ ନ୍ୟାୟ ଦେବା ପାଇଁ ମୋତେ କହିଥିଲେ ।  ଏ ହେଉଛନ୍ତି ସେହି ଓକିଲ ଯେ ନିର୍ଭୟାଙ୍କ ପୁରୁଷ ବନ୍ଧୁ ସହିତ ବୁଲିବାକୁ ନେଇ ଟିପ୍ପଣୀ ଦେଇ କହିଥିଲେ ସେମାନଙ୍କ ସମାଜରେ ଏଭଳି କାମ ହେଉଥିବ , ଆମ ସମାଜରେ ଏହା ଗ୍ରହଣୀୟ ନୁହଁ । ନିର୍ଲଜତାର ସବୁ ସୀମା ପାର୍ କରି ଏପି ସିଂହ କହିଥିଲେ ଯେ, ଯଦି ତାଙ୍କ ଭଉଣୀ କିମ୍ବା ଝିଅ ବିବାହ ପୂର୍ବରୁ ଏଭଳି ପ୍ରେମସଂପର୍କରେ ଥିଲେ ସେ ତାଙ୍କୁ ପରିବାର ସାମ୍ନାରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥାନ୍ତେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଅସନ୍ତୋଷ ଦେଖାଦେଇଥିଲା ।