ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ । ସସ୍ପେନ୍ସ ଜାରି । ଦିଲ୍ଲୀ ଗଲେ ଉଭୟ ହିମନ୍ତ ଓ ସର୍ବାନନ୍ଦ ।

143

କନକ ବ୍ୟୁରୋ : ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ । ଏନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଆଜି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମାଙ୍କୁ ଦିଲ୍ଲୀ ଡାକିଛନ୍ତି । କହିରଖୁ କି ଚଳିତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପି ମେଣ୍ଟ ବହୁମତ ହାସଲ କରିଛି । ଏହାପରେ ସେଠାରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ନେଇ ବିଚାର ବିମର୍ଷ କରିବାକୁ କେନ୍ଦ୍ର ବିଜେପି ଉଭୟଙ୍କୁ ଦିଲ୍ଲୀ ଡକାଇଛି । କୁହାଯାଉଛି କି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବିଜେପି ମହାସିଚିବ ବି.ଏଲ ସନ୍ତୋଷଙ୍କ ସହ ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୁୱାଲଙ୍କର ବୈଠକ ଆଜି ଅନୁଷ୍ଠିତ ହେବ ।

ଏନେଇ ଆସାମ ବିଜେପି ପ୍ରବକ୍ତା ରୂପମ୍ ଗୋସ୍ୱାମୀ କହିଛନ୍ତି କି ଏହି ବୈଠକରେ ଆଗାମୀ ସରକାର ଗଠନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହେବ । ଅନ୍ୟପଟେ ୫ମ ଥର ବିଧାନସଭା ନିର୍ବାଚନ ଜିତିବା ପରେ ହିମନ୍ତ ବିଶ୍ୱଶର୍ମା କହିଥିଲେ କି ଏଥର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କେନ୍ଦ୍ରୀୟ ନେତୃତ୍ୱ ବିଚାର କରିବେ ।

କହିରଖୁ କି ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କେନ୍ଦ୍ରମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲଙ୍କୁ ଆସାମର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରଦର୍ଶିତ କରିଥିଲା । ହେଲେ ଏଥର ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ଦଳ ତରଫରୁ ନିର୍ବାଚନ ପ୍ରଚାର ବେଳେ କିଛି କୁହାଯାଇ ନଥିବାରୁ ସର୍ବାନନ୍ଦଙ୍କ ସ୍ଥାନରେ ଦଳ ହିମନ୍ତଙ୍କୁ ଚୟନ କରିପାରେ ବୋଲି ଆଶା କରାଯାଉଛି ।