କନକ ବ୍ୟୁରୋ: ଦୀର୍ଘଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ଦେଖାଯାଉନାହାନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ଆଉ ଦୂରେଇ ରହିବା ପଛର କାରଣ ଖୋଜା ଚାଲିଥିବାବେଳେ ସାମ୍ନାକୁ ଆସିଛନ୍ତି ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବି ସେ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କୁଚକ୍ରୀ ଓ ରୁଗ୍ମମାନସିକଧାରୀ ବୋଲି କହିବାକୁ ସେ ପଛାଇନାହିନ୍ତି । ଅରୁନ୍ଧତୀ ଦେବୀ ଲେଖିଛନ୍ତି, ବ୍ୟବହାର ନ ବଦାଇଲେ ଏହାର ବହୁମୂଲ୍ୟ ଦେବାକୁ ପଡିବ । କେତେ ଦିନ ସାଂସଦଙ୍କ କାମକୁ ଅଟକାଇବ । ଆମେ ସମସ୍ତେ ଜାଣିଛୁ ଆପଣ ରାଜାସାହେବଙ୍କୁ ଅପମାନିତ କରି ଏଠାରୁ ଲଢିବାକୁ ଚାହୁଁଛନ୍ତି । ସରଳତାର ସୁଯୋଗ ନେଇ ତାଙ୍କୁ ଅପମାନିତ କରି ବଳି ପକାଇବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନ ଯାଇ ସମ୍ବଲପୁର ଆସନରୁ ଲଢି ଦେଖାଇବା ପାଇଁ ବି ଚ୍ୟାଲେଞ୍ଜ କରିଛନ୍ତି ସାଂସଦଙ୍କ ପତ୍ନୀ ।

Advertisment

ସୋସିଆଲ ମିଡିଆ ପୋଷ୍ଟରେ ସୁଧୁରିଯିବାକୁ ସାଂସଦଙ୍କ ପତ୍ନୀ କେନ୍ଦ୍ରମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଅରୁନ୍ଧତୀ ଆହୁରି ଲେଖିଛନ୍ତି, ସୁବାସ ଚୌହ୍ୱାନଙ୍କୁ ବଳି ପକାଇବା ପରେ ରାଜାସାହେବ ବା ନିତେଶ ଗଙ୍ଗଦେବଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଅପମାନିତ କରି ବଳି ପକାଇବାକୁ ଚାହୁଁଛନ୍ତି । ସେହିପରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରି ଅରୁନ୍ଧତୀ ଦେବୀ ଆଉ ଏକ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ପାରିବାରିକ ବିବାଦ ସଂପର୍କରେ ମିଥ୍ୟା ଅଭିଯୋଗ ନଲଗାଇବା ଓ ତାଙ୍କ ସ୍ୱାମୀଙ୍କୁ କୁଚକ୍ରୀ ଗୋଷ୍ଠୀରୁ ବଂଚାଇବା ପାଇଁ କୌଣସି ଦଳର ପ୍ରାଥମିକ ସଦସ୍ୟତା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ।

ଅରୁନ୍ଧତୀ ଦେବୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ସାଂସଦ ନିତେଶ ଗଙ୍ଗଦେବଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହି ପୋଷ୍ଟ ପଛରେ ସାଂସଦଙ୍କ ସମର୍ଥନ ରହିଛି ବୋଲି କହିଛନ୍ତି ଦେବଗଡ ରାଣୀ । ଆଉ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।