କନକ ବ୍ୟୁରୋ : ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଆସନ ଟଳମଳ । ଆଜି ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହା ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି ।

Advertisment

ବାପା ଶିବୁ ସୋରେନ୍, ମାଆ ରୁପି ସୋରେନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ହେଲେ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ସମ୍ଭାବନା ଅଧିକ । ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ । ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନଙ୍କ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲର ପରିଚାନା କରୁଛନ୍ତି ।

publive-image

କଳ୍ପନା ସୋରେନଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ରାଜନୈତିକ ଅନୁଭବକୁ ନେଇ ପ୍ରଶ୍ନ ଉଠିଛି । ଝାଡଖଣ୍ଡରେ ଲାଗି ରହିଥିବା ରାଜନୀତିକୁ କ’ଣ ସେ ସମ୍ଭାଳି ପାରିବେ ? ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନଙ୍କୁ ବିବାହ କରିବା ପରଠାରୁ ୧୬ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କ ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି ।

ଏ ସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି । କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ ।

ସେପଟେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ । ସୋରେନଙ୍କ ବିରୋଧରେ ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗର ତଦନ୍ତ ପରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି । ଏହି ମାମଲାରେ ନିର୍ବାଚନ କମିଶନ ତାଙ୍କ ରାୟ ଶୁଣାଇବା ପରେ ହେମନ୍ତଙ୍କ ବିଧାନସଭା ସଦସ୍ୟତା ରଦ୍ଦ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟପାଳ ରମେଶ ବୈସ । ସଦସ୍ୟତା ରଦ୍ଦ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତି ସହ ରାଜ୍ୟପାଳ ସହମତ ହୋଇଥିବାରୁ ଏନେଇ ଆଉ ଏକ ବିଜ୍ଞପ୍ତି ଜାରି ହେବ । ଏହି ମାମଲା ନେଇ କିଛି ଦିନ ହେଲା ରାଜନୀତି ସରଗରମ ହୋଇପଡ଼ିଥିବା ବେଳେ ଏହା ଫଚରେ ବିଜେପି ଷଡଯନ୍ତ୍ର ରହିଥିବା ଅଭିଯୋଗ ଆଣିଥିଲେ ସୋରେନ୍ ।

publive-image

ସେପଟେ ସୋରେନ୍ ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଛନ୍ତି । ଏହା ତାଙ୍କ ସ୍ୱାର୍ଥ ସର୍ବସ୍ୱ ନୀତିର ପରିଣାମ ବୋଲି ବିଜେପି କହିଛି । ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଇସି ରାଜ୍ୟପାଳଙ୍କୁ ଏକ ସୁପାରିଶ ପତ୍ର ପଠାଇଥିଲେ । ସଂଧ୍ୟା ସୁଦ୍ଧା ତଥ୍ୟ ସାର୍ବଜନୀନ ହୋଇନଥିବା ବେଳେ ରାଜ୍ୟପାଳ ମାମଲାର ବିଭିନ୍ନ ଦିଗ ଉପରେ ବିଚାର କରିବା ସହିତ ଆଇନ୍ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଥିଲେ ।