ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି ସରପ୍ରାଇଜ୍?

365

କନକ ବ୍ୟୁରୋ: କିଏ ଯିବ ରାଜ୍ୟସଭା? ରାଜ୍ୟରେ ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଲଡୁ କିଏ ପାଇବ ସେ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ଥିବାବେଳେ କୁହାଯାଉଛି, ଏଥର ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ ।

  • ରାଜ୍ୟସଭା ଅଙ୍କକଷା ଆରମ୍ଭ
  • ଦିଲ୍ଲୀ ରେସରେ କିଏ ?

କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କ ପରେ କିଏ ଯିବେ ରାଜ୍ୟସଭା ସେନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ । ରାଜ୍ୟସଭା ନିର୍ବାଚନ ପରେ ସାଧାରଣ ନିର୍ବାଚନ ଥିବାରୁ ଅତି ସତର୍କତାର ସହିତ ଅଙ୍କ କଷୁଛନ୍ତି ବିଜେଡି ସୁପ୍ରିମୋ ଓ କ୍ଷମତା କେନ୍ଦ୍ର । ସେପଟେ ଦିଲ୍ଲୀ ଲଡୁକୁ ନେଅ ଆଶା ଓ ଆଶଙ୍କାରେ ବିଜେଡି ନେତା ।

  • ଏଥର କିଏ ଯିବେ ରାଜ୍ୟସଭା?
  • କାହା ଉପରେ ଭରସା କରିବେ ନବୀନ?

ପିନାକୀ ମିଶ୍ର, ପୁରୀ ସାଂସଦ

ପୁରୀ ସାଂସଦ ପିନାକୀ ମିଶ୍ର ୨୦୨୪ ନିର୍ବାଚନ ଲଢି ନପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ସମାନତା ରକ୍ଷା କରିବା ପାଇଁ ଉପକୂଳିଆ ନେତା ଭାବେ ପିନାକୀଙ୍କୁ ଦିଲ୍ଲୀ ପଠାଇ ପାରନ୍ତି ବିଜେଡି ସୁପ୍ରିମୋ ।

ପ୍ରସନ୍ନ ପାଟ୍ଟଶାଣି, ପୂର୍ବତନ ସାଂସଦ

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି । ୨୦୧୯ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ପସନ୍ନ ପାଟ୍ଟଶାଣିଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ରାଜ୍ୟସଭା ଚର୍ଚ୍ଚା ଭିତରେ ପୁଣି ପ୍ରତିକ୍ରିୟା ରଖି ପୁରୁଣା ପ୍ରତିଶୃତି ମନେପକାଇଛନ୍ତି ପ୍ରସନ୍ନ । କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଶ୍ଚିତ ରାଜ୍ୟସଭା ପଠାଇବେ ।

ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ

ସାଂସଦ ଅମର ପଟ୍ଟନାୟକ । ରାଜ୍ୟସଭାରେ ଭଲ ପ୍ରଦର୍ଶନ କରିଥିବା ସାଂସଦ ଭିତରେ ଅଛନ୍ତି ଅମର ପଟ୍ଟନାୟକ । ତେଣୁ ତାଙ୍କୁ ରିପିଟ୍ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଚର୍ଚ୍ଚା ହେଉଛି ଜଣେ ମହିଳା ଚେହେରାଙ୍କୁ ସାମ୍ନାକୁ ଆଣି ଜାତୀୟ ରାଜନୀତିରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବଡ ବାର୍ତ୍ତା ଦେଇପାରନ୍ତି ନବୀନ । ସବୁବେଳେ ସସପେନ୍ସ ରଖି ସରପ୍ରାଇଜ ଦେଇଆସୁଥିବା ନବୀନ ଏଥର ବି ମାଷ୍ଟରଷ୍ଟ୍ରୋକ ମାରିପାରନ୍ତି ।

ତେବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ସୁରଛି । ଦୁଇ ନେତା ଏଥର ରାଜ୍ୟସଭା ଛାଡି ଲୋକସଭା ନିର୍ବାଚନ ଓଡିଶାରୁ ଲଢିବାକୁ ସଜବାଜ ହେଉଛନ୍ତି । ଯାହା ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱ ରଖୁଛି ।