କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ଉଠିଲା ସନ୍ଦେହ । ନୟାଗଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସରକାର, ହେଲେ ସିଡିଏମଓଙ୍କ ରିପୋର୍ଟ କହିଲା କେବଳ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୯୫ ଜଣଙ୍କର ହୋଇଛି ମୃତ୍ୟୁ ।

434

କନକ ବ୍ୟୁରୋ : କିଏ କହୁଛି ସତ । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦେଉଥିବା ତଥ୍ୟ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଭିତରେ ରହୁନି ତାଳମେଳ । ଏଭଳି ଏକ ଚାଂଚଲ୍ୟ ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ରାଜ୍ୟ ସରକାର ଦେଇଥିବା ସଂଖ୍ୟାଠାରୁ ୧୦ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇ ୯ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ସିଡିଏମଓ ତାଙ୍କ ରିପୋର୍ଟରେ ୯୬ଜଣ ମୃତକଙ୍କ ତାଲିକା ଦେଇଛନ୍ତି ।

କରୋନା ମୃତ୍ୟୁକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ନୟାଗଡ଼ରୁ ଆସିଲା ଚାଂଚଲ୍ୟକର ତଥ୍ୟ । ସରକାରଙ୍କ ହିସାବ ଜିଲ୍ଲାରେ ୯ ଜଣଙ୍କ ମୃତ୍ୟୁ, ସିଡିଏମଓଙ୍କ ରିପୋର୍ଟ ୯୬ । ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହରରେ ମୃତକଙ୍କ ତାଲିକା, ଯାହା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦେଇଛନ୍ତି । ଅନ୍ୟଟି ହେଉଛି ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଥିବା ତଥ୍ୟ । ସିଡିଏମଓଙ୍କ ତାଲିକା ଅନୁସାରେ ଦ୍ୱିତୀୟ ଲହରରେ ନୟାଗଡ଼ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ୯୫ ଜଣ ହେଉଛନ୍ତି ନୟାଗଡ଼ ଜିଲ୍ଲାର । ତେବେ ସରକାରଙ୍କ ରିପୋର୍ଟ କହୁଛି ନୟାଗଡ଼ରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟ ଲହରରେ ମାତ୍ର ୯ ଜଣ ପ୍ରାଣ ହରାଇଛନ୍ତି ।

କରୋନାର ଦ୍ୱିତୀୟ ଲହରରେ ନୟାଗଡ଼ରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି, ତା’ର ପାଖାପାଖି ୧୦ ଗୁଣ ଲୋକ ପ୍ରାଣ ହରାଇଥିବା ନେଇ ସିଡିଏମଓଙ୍କ ରିପୋର୍ଟରେ ଦର୍ଶାଯାଇଛି ।

ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ଭତା ପ୍ରଦାନ ସମେତ ଅନାଥ ହୋଇଥିବା ଶିଶୁଙ୍କୁ ଥଇଥାନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୃତକଙ୍କ ବାବଦରେ ତଥ୍ୟ ଦେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦ୍ୱିତୀୟ ଲହରରେ ମୃତକଙ୍କ ତାଲିକା ଦେଇଛନ୍ତି ସିଡିଏମଓ । ଆଉ ଏହି ତାଲିକା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ସିଡିଏମଓଙ୍କ ରିପୋର୍ଟ ପାଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁ । ତେବେ ଏ ନେଇ ଅଡିଟ କରାଯିବ ବୋଲି ସେ କହିଛନ୍ତି ।

କେବଳ ନୟାଗଡ଼ ଚାନ୍ଦପୁର କୋଭିଡ୍ ହସପିଟାଲରେ ହୋଇଥିବା ମୃତ୍ୟୁ ତାଲିକା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାର କିଛି ଲୋକ ବାହାରେ ଚିକିତ୍ସାଧୀନ ଥିବା ବେଳେ ମଧ୍ୟ ମୃତ୍ୟୁ ହୋଇଛି । ଏପରିକି ଘରେ ସଙ୍ଗରୋଧରେ ରହିଥିବା ବେଳେ ମଧ୍ୟ ମରିଛନ୍ତି । ହେଲେ ଏ ସବୁର ହିସାବ ଏପର୍ଯ୍ୟନ୍ତ କରାଯାଇନି ।

ଏପଟେ କରୋନାରେ ମୃତ୍ୟୁ ହେଲେ ୪୮ ଘଂଟା ଭିତରେ ଅଡିଟ୍ ହେବା ନେଇ ସରକାରଙ୍କ ନିର୍ଦ୍ଦେଶନାମା ରହିଛି । ହେଲେ ମାସ ମାସ ବିତିଥିଲେ ବି କାହିଁକି ଏ ନେଇ ଅଡିଟ ହୋଇନି, ତାହା ସବୁଠୁ ବଡ଼ ସନ୍ଦେହ ସୃଷ୍ଟି କରୁଛି ।

କରୋନା ମୃତ୍ୟୁ ବାବଦରେ ସରକାର ତଥ୍ୟ ଲୁଚାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ନୟାଗଡ଼ ହେଉଛି ଏହାର ଏକ ଉଦାହରଣ । ସରକାରଙ୍କ ତଥ୍ୟ ଠାରୁ କରୋନାରେ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ସଂଦେହ ବଢ଼ିବାରେ ଲାଗିଛି । ଆଉ ଧୀରେ ଧୀରେ ସାମ୍ନାକୁ ଆସୁଛି କୋଭିଡ୍ ମୃତ୍ୟୁର ସତ ।