କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭରୁ ହିଁ ଆପ୍ ଗାଡି ପୁରା ଜୋରସୋରରେ ଆଗେଇ ଚାଲିଛି । ଏଯାଏଁ ମିଳିଥିବା ଗଣତିର ଫଳାଫଳ ମୁତାବକ, ଏଠାରେ ଆମ ଆଦମି ପାର୍ଟିର ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏହି ନିର୍ବାଚନରେ ସମସ୍ତଙ୍କ ନଜର ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ପଟିଆଲା ଆସନ ଉପରେ ଥିବାବେଳେ କ୍ୟାପ୍ଟନଙ୍କୁ ନେଇ ଲୋକ ମନ ଭାଙ୍ଗିଯାଇଛି । ଏହି ଆସନରେ କ୍ୟାପ୍ଟେନଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ଆମ ଆଦମି ପାର୍ଟିର ଅଜିତ୍ ସିଂହ କୋହଲି । ସେ ୨୦ ହଜାରରୁ ଅଧିକ ଭୋଟରେ ଆଗରେ ଅଛନ୍ତି । ଅପରପକ୍ଷେ କ୍ୟାପ୍ଟେନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Advertisment

 ଅଜିତ୍ ପାଲ ସିଂହ କୋହଲି ପୂର୍ବତନ ମେୟର ଥିଲେ । ତାଙ୍କ ପରିବାରରୁ ଏକାଧିକ ସଦସ୍ୟ ଶିରୋମଣି ଅକାଳି ଦଳରୁ ଟିକେଟ ପାଇ ନିର୍ବାଚନ ଲଢିିଥିବାର ନଜିର ରହିଛି । ହେଲେ ଏଥର କୋହଲି କିନ୍ତୁ ଆପ୍ ପକ୍ଷରୁ ଟିକେଟ ପାଇଥିଲେ । ରିପୋର୍ଟ ମୁତାବକ, ୨୦୧୧ରେ ଶିରୋମଣି ଅକାଳି ଦଳ ପକ୍ଷରୁ ଟିକେଟ ପାଇ ଜିତିବା ପରେ ଅଜିତ୍ ମେୟର ହୋଇଥିଲେ । ପଞ୍ଜାବ ରେ ଅଜିତଙ୍କ ପରିବାର ଟକସାଲି ଅକାଳି ଦଳ ଭାବେ ଜଣାଶୁଣା । ତାଙ୍କ ବାପା ସୁରଜିତ୍ ସିଂହ କୋହଲି ଅକାଳି ଦଳରୁ ବିଧାନସଭା ନିର୍ବାଚନ ଜିତି ପଂଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।