କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଲଢୁଛି କିଏ? ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ହକ୍ ପାଇଁ ଲଢୁଥିବା ନେଇ ଗର୍ଜନ କରୁଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନରେ ଏହାକୁ ସରଗରମ ହୋଇଛି ରାଜନୀତି । ବିଜେଡି ଏମଏସପି ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଛି । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଧାନର ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବିଧାନସଭାରେ ସର୍ବସମ୍ମତ କ୍ରମେ ସଂକଳ୍ପ ପାରିତ ହୋଇଥିଲା । କିନ୍ତୁ ଏଥିପ୍ରତି କେନ୍ଦ୍ର କର୍ଣ୍ଣପାତ କରିନଥିବା ବେଳେ ସ୍ୱାମୀନାଥନ କମିଟି ନିଷ୍ପତିକୁ ମଧ୍ୟ ଏଯାଏଁ ଲାଗୁ କରିବାରେ କେନ୍ଦ୍ର ସଫଳ ହୋଇନାହିଁ । ଯେଉଁଥିପାଇଁ ଚାଷୀ ନିଜର ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛି । ସେହିଭଳି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଓଡ଼ିଶାର ଚାଷୀ ମାନେ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସବୁବେଳେ ଫସଲହାନିର ସାମ୍ନା କରିଥାନ୍ତି । ତେଣୁ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାକୁ ହେଲେ ଏମଏସପି ଦର ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ । କେନ୍ଦ୍ର ସରକାର ନିକଟରେ ବାରମ୍ବାର ଦାବି କରିବା ସତ୍ତେ୍ୱ ମଧ୍ୟ ଏହାକୁ କର୍ଣ୍ଣପାତ କରାଯାଉନି । ଚାଷୀଙ୍କ ଭିତରେ ବିଜେପିକୁ ନେଇ ଗଭୀର ଅସନ୍ତୋଷ ରହିଛି ।

Advertisment

ଅନ୍ୟପଟେ ବିଜେଡିର ଅଭିଯୋଗକୁ କାଉଣ୍ଟର କରିଛି ବିଜେପି । ଦଳର ବିଧାୟକ ନାଉରୀ ନାୟକ ପୁଣିଥରେ ବୋନସ କଥା ଉଠାଇ ସରକାରଙ୍କୁ ଘେରିଛନ୍ତି । ନାଉରୀ କହିଛନ୍ତି, ମୋଦୀ ସରକାରରେ ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଛି । ୨୦୧୪ରେ ଧାନର ଏମଏସପି ଦର ୧୩୬୦ ଟଙ୍କା ଥିବା ବେଳେ ୨୦୨୩ରେ ଏହା ୨୧୮୩ ଟଙ୍କାରେ ପହଞ୍ଚିଛି । ଚାଷୀଙ୍କ ପାଇଁ ଅନେକ ଯୋଜନା କେନ୍ଦ୍ର କରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ୨୦୧୬ରେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା ଏଯାଏଁ ପୂରା ହୋଇପାରିଲା କି? କେନ୍ଦ୍ର ଧାନର ଏମଏସପି ୨୧୮୩ ଟଙ୍କା ସ୍ଥିର କରିଥିଲେ ମଧ୍ୟ ଓଡ଼ିଶାରେ ଚାଷୀ ତାହା ମଧ୍ୟ ପାଉନାହିଁ । ଚାଷୀଙ୍କ ଠାରୁ ସରକାର ନିର୍ଦ୍ଦିଷ୍ଟ ପରିମାଣର ଧାନ ଏମଏସପି ଦରରେ ଉଠାଉଥିବା ବେଳେ ବଳକା ଧାନକୁ ଚାଷୀ ଶାଗ ମାଛ ଧରରେ ବିକିବାକୁ ବାଧ୍ୟ ହେଉଛି । ସମ୍ବଲପୁରରେ ଆଧୁନିକ କୃଷକ ବଜାରର ଶିଳାନ୍ୟାସ ହୋଇଥିବା ବେଳେ ୧୨ ବର୍ଷ ପରେ ମଧ୍ୟ ଏହା ଶେଷ ହୋଇନାହିଁ । ବିଧାନସଭାରେ ଏନେଇ ପ୍ରଶ୍ନ କଲେ ଉତ୍ତର ମିଳୁନାହିଁ ବୋଲି କହି ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ।

ଏମଏସପି ବୃଦ୍ଧି ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏମଏସପି ବୃଦ୍ଧିକୁ ନେଇ ବିଧାନସଭାରେ ଆଲୋଚନା ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଧାୟକଙ୍କୁ ଭେଟିବାକୁ ସମୟ ଦେଉନାହାନ୍ତି । ଏମଏସପି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରୁନାହାନ୍ତି କାହିଁକି? ଏମଏସପି ବୃଦ୍ଧି କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ରର ସ୍ପୃହା ନାହିଁ । ଉଭୟ ବିଜେଡି ଓ ବିଜେପି ଡ୍ରାମା ଛଡା କିଛି କରୁନାହାନ୍ତି । ଚାଷୀଙ୍କ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେଉ ତାହା ଉଭୟ ଦଳ ଚାହୁଁନଥିବା କହିଛନ୍ତି ତାରା ।