ରତ୍ନଭଣ୍ଡାରକୁ ଯିବେ କିଏ ? ୧୦ ଜଣିଆ ଟିମ୍ ହେଲା ଗଠନ, ଜାଣନ୍ତୁ କିଭଳି ହେବ ରତ୍ନଭଣ୍ଡାରର ଯାଞ୍ଚ ।

33

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠିଛି । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ୧୦ ଜଣିଆ ଟିମ୍ ପ୍ରବେଶ କରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗଜପତି ମହାରାଜ ଦିବ୍ୟ ସିଂହଦେଓଙ୍କ ନେତୃତ୍ୱରେ ୧୦ ଜଣ ସଦସ୍ୟ ଭଣ୍ଡାର ଘରକୁ ଯିବେ । ତେବେ ପ୍ରଥମେ ଭଣ୍ଡାର ମେକାପ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି । ଗଜପତି ମହାରାଜଙ୍କ ବ୍ୟତୀତ ଭଣ୍ଡାର ମେକାପ, ତଡ଼ାଉକରଣ, ଦେଉଳ କରଣ, ଏଏସଆଇର ୨ ଅଧିକାରୀ, କୋର କମିଟି ବିଶେଷଜ୍ଞ ମଧ୍ୟ ଭିତରକୁ ଯିବେ । ଏହାସହ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍ କେ ମହାନ୍ତି ଭଣ୍ଡାର ଘରକୁ ଯିବେ ବୋଲି ଜଣାପଡିଛି ।

ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇପାରିନାହିଁ । ଏହାସହ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ତ୍ରୀସ୍ତରୀୟ ଯାଞ୍ଚର ସମ୍ମୁଖୀନ ହେବାକୁ ପଡିବ । ଏହାଛଡା ରତ୍ନଭଣ୍ଡାର ଯାଞ୍ଚର ଭିଡ଼ିଓଗ୍ରାଫି ହେବ ନାହିଁ ବୋଲି ଜଣାପଡିଛି । କିନ୍ତୁ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଅନେକଗୁଡିଏ ନୀତିକାନ୍ତି ପାଳନ କରାଯିବ । ଏପରିକି ୧୦ ଜଣ ସଦସ୍ୟ ଧୋତି ଓ ଗାମୁଛା ପିନ୍ଧି ଭଣ୍ଡାର ଗୃହର ଭିତରକୁ ଯିବେ । ଏମାନଙ୍କୁ ଶ୍ରୀମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବସ୍ତ୍ର ଦିଆଯିବ । ଭିତରକୁ ଯିବା ବେଳେ ମୁଣ୍ଡରେ ଏଲଇଡି ଲାଇଟ ଲଗାଯିବ । ଆଉ ଟିମର କାମ ହେଉଛି ରତ୍ନଭଣ୍ଡାର ଭିତରର ସ୍ଥିତି କଣ ତାର ଅନୁଧ୍ୟାନ କରିବା । ଯାଞ୍ଚ କରିବା ବ୍ୟତୀତ ରତ୍ନଭଣ୍ଡାରରେ କେତେ ରତ୍ନ ତାହା ଦେଖି ପାରିବେ ନାହିଁ । ସବୁଠୁ ବଡ କଥା ହେଲା ରତ୍ନଭଣ୍ଡାରର ସ୍ଥିତି କେମିତି ଅଛି ତାହାର ରିପୋର୍ଟ ସଦସ୍ୟ ସେହିଦିନ ହିଁ ଦେବେ । ଏହାଛଡା ବହୁତ ଦିନ ପରେ ରତ୍ନଭଣ୍ଡାର ଖୋଲାଯାଊଥିବାରୁ ଅକ୍ସିଜେନର ସାହାଯ୍ୟ ନିଆଯିବ । ଦରକାର ପଡିଲେ ସ୍ନେକ ହେଲ୍ପଲାଇନର ସହାୟତା ନିଆଯିବ ।

ପୂର୍ବରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି। ଆପାତତଃ ରତ୍ନ ଭଣ୍ଡାର ଏପ୍ରିଲ ୪ରେ ଯାଞ୍ଚ ପାଇଁ ଦିନ ଧାର୍ୟ୍ୟ ହୋଇଛି। ଯଦି ଯାଞ୍ଚ ସମୟରେ ଭଣ୍ଡାରରେ କୌଣସି ତ୍ରୁୂଟି ଦେଖାଯାଏ ତେବେ କେବେ ଓ କିପରି ଏହାର ମରାମତି ହେବ ତାହା ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ତେବେ ଏ ନେଇ ହାଇକୋର୍ଟରେ ଏପ୍ରିଲ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।