ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ? ଭଙ୍ଗା, ଦଦରା ଘରେ କଟୁଛି ଜୀବନ

303

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ମାପଦଣ୍ଡ ରହିଛି, ଲୋକଙ୍କ ପାଖରେ ବାଇକ୍ ନଥିବ, ଫ୍ରିଜ୍ ନଥିବ । ଆଉ ଏଥିପାଇଁ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡିଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ଦୁଃଖ ବୁଝୁଛି କିଏ । ଶଙ୍କର ରାଉତ । ଘର କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତରେ । ଭଙ୍ଗା ଦଦରା ଚାଳ ଛପର ଘରେ କଟୁଛି ଦିନ । ବ୍ୟବସାୟ ପାଇଁ ସୋସାଇଟିରୁ ଲୋନ୍ ନେଇ ସେକେଣ୍ଡହ୍ୟାଣ୍ଡ ବାଇକ୍ କିଣିଛନ୍ତି । ଏହି ବାଇକ୍ରେ ପରିବା ବେପାର କରି ଦୁଃଖ କଷ୍ଟରେ ପରିବାର ଚଳାନ୍ତି ଶଙ୍କର କରଜରେ ଆଣିଥିବା ଏହି ବାଇକ୍ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଟିଏ ପାଇବାରୁ ବଂଚିତ ହୋଇଛନ୍ତି ଶଙ୍କର । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଲୋନ୍ ନେଇ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣି ଶଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜାନା ପାଇଁ ଅଯୋଗ୍ୟ ତାହାଲେ ଯୋଗ୍ୟ ହିତାଧିକାରୀ କିଏ?

ଝୁପୁଡି ଘର, ଭଙ୍ଗା କାନ୍ଥ । କୁଡିଆ ଘରକୁ ସାହା ପଲିଥିନ୍ । ଏଭଳି ଘରେ ରହୁଥିବା ଲୋକଟି ବି ପ୍ରଧାନମନ୍ତ୍ରୀ ଆବାସ ଯୋଜାନରୁ ହୋଇଛନ୍ତି ବଂଚିତ । କଟକ ଜିଲ୍ଲା ନିଆଳି ବ୍ଲକ୍ କୃଷ୍ଣପ୍ରସାଦ ପଂଚାୟତ । ମାଟି, ଝାଟିର କାନ୍ଥ । ସେଇଟା ବି ଭାଙ୍ଗି ଯାଇଛି । ଚାଳ, ଛପର ଉପରେ ପଡିଛି ପଲିଥିନ୍ । ଆଉ ଏଭଳି ଘରେ ରହି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ହୋଇଛନ୍ତି ବଂଚିତ । ପଂଚାୟ ଅଫିସ୍ ଆଗରେ ଯେଉଁ ତାଲିକା ବାହାରିଛି, ସେଥିରେ ନାହିଁ ଏମାନଙ୍କ ନାଁ । ଯଦି ଏମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଅଯୋଗ୍ୟ, ତାହାଲେ କିଏ ଯୋଗ୍ୟ ।

ଦିନକୁ ଦିନ ତେଜିବାରେ ଲାଗିଛି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିବା ପରେ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଆବାସ ଯୋଜନ ଆବଂଟନରେ ଅନିୟମିତତା ଅଭିଯୋଗ ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ହିତାଧିକାରୀ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରୁ ଆସିଛି ଏହି ଦୃଶ୍ୟ । ବିଭିନ୍ନ ପଂଚାୟତର ଲୋକେ ବ୍ଲକ କାର୍ଯ୍ୟାଳୟରେ ପହଁଚି ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବିଡମ୍ବନାର କଥା ହେଉଛି ଅନେକ ହିତାଧିକାରୀଙ୍କୁ ସରପଂଚ କହିଥିଲେ, ସେମାନଙ୍କ ନାଁ ତାଲିକାରେ ରହିଛି । ପକ୍କା ଘର ଖଣ୍ଡିଏ ପାଇଁ ଟଙ୍କା ମିଳିବା ନେଇ ସରପଂଚ କହିଥିଲେ । ଯାହାକୁ ନେଇ କିଛି ହିତାଧିକାରୀ ଛପର ଘର ଭାଙ୍ଗି ଦେଇଥିଲେ । ହେଲେ ଯେତେବେଳେ ତାଲିକା ପ୍ରକାଶ ପାଇଲା ସେମାନଙ୍କ ନାଁ ସେଥିରେ ନଥିବାରୁ ଭାଙ୍ଗିପଡିଛନ୍ତି ଲୋକେ । ସେପଟେ ଅନେକ ସରପଂଚରେ ଆବାସ ଯୋଜନା ଯୋଗାଇଦେବାକୁ ସରପଂଚ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଡିଓ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ହିତାଧିକାରୀ ।