ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ପଦ । ୬ ବର୍ଷ ତଳେ କଂଗ୍ରେସରେ ଥିଲେ, ଏବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ପଢନ୍ତୁ, ମାନିକ ଶାହାଙ୍କ ରାଜନୈତିକ ଯାତ୍ରା…

425

କନକ ବ୍ୟୁରୋ: ତ୍ରିପୁରାରେ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ରାଜନୈତିକ ଅଦଳବଦଳ କରିଛି । ବିପ୍ଲବ ଦେବଙ୍କ ବଦଳରେ ଏବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଡାକ୍ତର ମାନିକ ଶାହା । ଶନିବାର ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯିବା ସହିତ, ସେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବା ପକ୍କା ହେଇଛି । ତେବେ ଏ ପୂରା ଘଟଣାକ୍ରମର ପୂରା ପ୍ଲାନ୍ ଗତକାଲିଠୁ ଲେଖା ସରିଥିଲା ବୋଲି ଚର୍ଚ୍ଚା ହେଉଛି । ବିପ୍ଲବ ଦେବ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା, ଏହାର ୨୪ ଘଣ୍ଟା ପରେ ସେ ଇସ୍ତଫା ଏବଂ ତା’ର ମାତ୍ର କେଇ ଘଣ୍ଟା ପରେ ମାଣିକ ଶାହା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ଏହାର ପ୍ରମାଣ ଦେଉଛି । ତେବେ ଜଣେ ଦାନ୍ତ ଡାକ୍ତରରୁ କ୍ୟାରିୟର ଆରମ୍ଭ କରି ମାନିକ ଶାହା ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ମାନିକ ଶାହା ୬ ବର୍ଷ ପୂର୍ବରୁ କଂଗ୍ରେସ ଦଳରେ ଥିଲେ । ହେଲେ ୬ ବର୍ଷ ତଳେ ସେ କଂଗ୍ରେସକୁ ବାଏ ବାଏ କହିବା ସହିତ ବିଜେପିରେ ସାମିଲ ହୋଇଥିଲେ । ଆଉ ଖୁବ କମ୍ ଦିନ ଭିତରେ ରାଜ୍ୟର ଜଣେ ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ମାତ୍ର ୨ ବର୍ଷ ଭିତରେ ରାଜ୍ୟ ବିଜେପିର ସଭାପତି ହେବା ସହିତ ରେ ତ୍ରିପୁରା କ୍ରିକେଟ୍ ଆସୋସିଏସନର ସଭାପତି ଓ ପରେ ପରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ । ଆଉ ଏବେ ସେ ତ୍ରିପୁରାର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଡାକ୍ତର ମାଣିକ ଶାହା ଏବେ ତ୍ରିପୁରା ବିଜେପିର ରାଜ୍ୟ ସଭାପତି ଅଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ସ୍ୱଚ୍ଛ ଓ ନିର୍ମଳ ଥିବା ହେତୁ ବିଜେପି ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି । ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାବେଳେ, ମାଣିକ ଶାହାଙ୍କ ଚେହେରାକୁ ସାମ୍ନାରେ ରଖି ଦଳ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି ।

୨୦୧୮ ମସିହାରେ ତ୍ରିପୁରାରେ ବିଜେପି ବାଜିମାତ୍ କରିଥିଲା । ଏହି ସମୟରେ ବିପ୍ଲବ ଦେବ ହୋଇଥିଲେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ହେଲେ ଏହି ସମୟରେ ଦଳକୁ ଯିଏ ବଡ ବିଜୟ ଦେଇଥିଲେ, ସେ ହେଉଛନ୍ତି ମାନିକ ଶାହା । ଏହାପରେ ପରେ ୨୦୨୦ରେ ମାଣିକ ଶାହା ହୋଇଥିଲେ ଦଳର ନୂଆ ପ୍ରଦେଶ ଅଧ୍ୟକ୍ଷ । ତାଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିବା ପରେ ଦଳ ବୁଥ୍ ସ୍ତରରେ ଅଧିକ ମଝବୁତ୍ ହେବାକୁ ପ୍ରୟାସ କରିବା ସହିତ ଗ୍ରାଉଣ୍ଡ ଜିରୋରେ କାମ କରିବା ଆରମ୍ଭ କରିଥିଲା । ଯେଉଁଥିପାଇଁ ଦଳର ସଙ୍ଗଠନ ତ୍ରିପୁରାରେ ଅଧିକରୁ ଅଧିକ ମଝବୁତ୍ ହୋଇଥିଲା ।

ଖାଲି ସେତିକି ନୁହେଁ, ମାଣିକ ଶାହା ତ୍ରିପୁରା କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ଅଛନ୍ତି । କୁହାଯାଉଛି, ବିଜେପିର ହାଇକମାଣ୍ଡ ବିପ୍ଲବ ଦେବଙ୍କୁ ନୂଆ ସିଏମ୍ ଚେହେରା କିଏ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତରରେ ନିଜେ ବିପ୍ଲବ ଦେବ ହିଁ ମାଣିକ ଶାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ନେଇଥିଲେ । ଏହା ପରେ ତୁରନ୍ତ ତ୍ରିପୁରାରେ ମାଣିକ ସରକାର ଗଠନ ହେବା ପକ୍କା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଅର୍ଥାତ ୨୦୨୩ରେ ବିଧାନସଭା ନିର୍ବାଚନ ଦେଖିବ ତ୍ରିପୁରା । ତେଣୁ ଏହାକୁ ଆଖି ଆଗରେ ରଖି, ଭୋଟରଙ୍କ ମନ ଜିଣିବାକୁ ବିଜେପି ଏହି ମାଷ୍ଟରଷ୍ଟ୍ରୋକ୍ ଖେଳିଛି । ବିପ୍ଲବଙ୍କୁ ହଟେଇ ତ୍ରିପୁରାରେ ଆରମ୍ଭ ହେବାକୁ ଯାଉଛି ମାଣିକ ସରକାର । ତେବେ ଦଳର ଏହି ପ୍ଲାନ୍ କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।