ଡା. ଆରତୀ ପ୍ରଭାକର ଆମେରିକାର ବିଜ୍ଞାନ ପରାମର୍ଶଦାତା ନିଯୁକ୍ତ। ଦିଲ୍ଲୀରେ ଜନ୍ମ, ଆମେରିକାରେ ପାଠପଢା ଜାଣନ୍ତୁ ଆରତୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ …

115

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଧବ ବୈଜ୍ଞାନିକ ଡା. ଆରତୀ ପ୍ରଭାକର ଆମେରିକାର ବିଜ୍ଞାନ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆରତୀଙ୍କୁ ଏହି ଶୀର୍ଷ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବିଜ୍ଞାନ ଓ ପ୍ରଦ୍ଦୌଗିକ ନୀତି କାର୍ଯ୍ୟାଳୟ (ଓଏସଟିପି)ର ନିର୍ଦ୍ଦେଶକ ଭାବେ ତାଙ୍କୁ ନାମିତ କରିଛନ୍ତି । ସିନେଟର ମଞ୍ଜୁରୀ ମିଳିବା ପରେ ଡା. ଆରତୀ ପ୍ରଭାକର ଏହି ପଦରେ କାର୍ଯ୍ୟକରିବା ନେଇ ସୂଚନା ମିଳିଛି । ଏହି ପଦ ସମ୍ଭାଳିବାରେ ଆରତୀ ପ୍ରଥମ ମହିଳା ହେବେ । ଭାରତୀୟ ମୂଳର ଡା. ଆରତୀ ବର୍ତ୍ତମାନର ନିର୍ଦ୍ଦେଶକ ଏରିକ ଲିଣ୍ଡରଙ୍କ ସ୍ଥାନ ନେବେ ।
୧୯୯୩ ମସିହାରେ ଡା. ଆରତୀ ବିଲ କ୍ଲିଣ୍ଟନ ପ୍ରଶାସନରେ ମଧ୍ୟ ଗୁରୁ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏନଆଇଏସଟିର ପ୍ରମୁଖ ଭାବେ ସେ କାମ କରିସାରିଛନ୍ତି । ସେହିଭଳି ବାରାକ ଓବାମା ପ୍ରଶାସନରେ ଡିଫେନ୍ସ ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସିର ମୁଖ୍ୟ ରହିସାରିଛନ୍ତି । ଜୋ ବାଇଡେନ ଆରତୀଙ୍କ ଉପରେ ପୂରା ବିଶ୍ୱାସ ରଖି ଏହି ଦାୟିତ୍ୱ ଦେଇଥିବା ଜଣାପଡିଛି ।

ଆସନ୍ତୁ ଜାଣିବା ଡା ଆରତୀଙ୍କ ବାବଦରେ …
ଦିଲ୍ଲୀରେ ଜନ୍ମ, ଆମେରିକାରେ ପାଠପଢା
ଡା. ଆରତୀ ପ୍ରଭାକର ଭାରତୀୟ ମୂଳର ଆମେରିକୀୟ ବୈଜ୍ଞାନିକ । ଏକ୍ୟୁଏଟ ନାମକ ଗୋଟିଏ ଏନଜିଓ ସଂସ୍ଥାରେ ସେ ପ୍ରତିଷ୍ଠାତା ତଥା ସିଇଓ । ଆରତୀଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ତେବେ ପରିବାର ସହ ସେ ଦିଲ୍ଲୀ ଛାଡି ଆମେରିକା ଚାଲିଯାଇଥିଲେ । ଆମେରିକାର ଟେକ୍ସାସ ସହରରେ ସେ ପାଠପଢା ଆରମ୍ଭ କରିଥିଲେ । ୧୯୮୪ରେ ସେ କାର୍ଲିଫୋର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜିରୁ ପିଏଚଡି ଶେଷ କରିଥିଲେ । ପରେ ସେ ସଂଘୀୟ ସରକାରରେ କାମ କରିଥିଲେ । ୨୦୧୨ ଜୁଲାଇ ୩୦ରୁ ୨୦୧୭ ଯାଏ ଡା. ଆରତୀ ୟୁନାଇଟେଡ ଷ୍ଟେଟସ ଡିଫେନ୍ସ ଆଣ୍ଡ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସିର ମୁଖ୍ୟ ପଦରେ କାମ କରିଥିଲେ । ଏହା ପୂର୍ବରୁ ସେ ୧୯୯୩ରୁ ୧୯୯୭ ଯାଏ ରାଷ୍ଟ୍ରୀୟ ମାନକ ଏବଂ ପ୍ରଦ୍ଦୌଗିକ ସଂସ୍ଥାନ (ଏନଆଇଏସଟି)ର ନେତୃତ୍ୱ ନେଇ ଏହା ମୁଖ୍ୟ ହୋଇଥିଲେ । ଏହି ପଦରେ ସେ ବସିବାରେ ପ୍ରଥମ ମହିଳା ହେବାର ଗୋରବ ହାସଲ କରିଥିଲେ । ବିଲ କ୍ଲିଣ୍ଟନ ସରକାରରେ ଏନଆଇଏସଟିର ମୁଖ୍ୟରହିଥିଲେ । ଓବାମା ସରକାରରେ ସେ ଡିଫେନ୍ସ ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ ଏଜେନ୍ସିର ମୁଖ୍ୟ ରହିଥିଲେ ।

ବର୍ତ୍ତମାନ ସେ ବିଜ୍ଞାନ ଓ ପ୍ରଦ୍ଦୌଗିକ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେବାକୁ ଯାଉଛନ୍ତି । ଏହା ସହ ସେ ବିଜ୍ଞାନ ଓ ପ୍ରଦ୍ଦୌଗିକ ଉପରେ ଗଠିତ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବାଇଡେନ ମନ୍ତ୍ରିମଣ୍ଡଳର ସେ ସଦସ୍ୟ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ କେବଳର ସିନେଟର ଘୋଷଣାକୁ ବାକି ରହିଛି ।