କିଏ ଏହି ବ୍ରିଜ ଭୂଷଣ ଶରଣ ସିଂ ? ଯାହାଙ୍କ ନାମରେ କୁସ୍ତି ଖେଳାଳୀମାନେ ଆଣିଲେ ଯୌନ ଶୋଷଣର ଅଭିଯୋଗ

271

କନକ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତର ଠାରେ ଭାରତୀୟ କୁସ୍ତିର ଅନେକ ବରିଷ୍ଠ ଖେଳାଳୀ ଧାରଣାରେ ବସିଛନ୍ତି । ଏହି ଖେଳାଳୀମାନଙ୍କର ଅଭିଯୋଗ ରହିଛି କୁସ୍ତିସଂଘ ସେମାନଙ୍କର ଶୋଷଣ କରୁଛି । କୁସ୍ତି ଖେଳାଳୀମାନେ ବିଶେଷ ଭାବେ ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ସଂଘକୁ ମନଇଚ୍ଛା ପରିଚାଳନା କରୁଥିବା ଅଭିଯୋଗ କରିଛନ୍ତି । ଏସିଆନ ଗେମ୍ସ ଓ ରାଷ୍ଟ୍ରମଣ୍ଡଳ ଖେଳରେ ଭାରତକୁ ଅନେକ ପଦକ ଉପହାର ଦେଇଥିବା ମହିଳା କୁସ୍ତିଯୁଦ୍ଧା ବିନେଶ ଫୋଗାଟ ଅଭିଯୋଗ କରିଛନ୍ତି କି, କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ମହିଳା ଖେଳାଳୀଙ୍କୁ ଯୌନ ଶୋଷଣ କରୁଛନ୍ତି । ବିନେଶ କହିଛନ୍ତି କି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଅନେକ ମହିଳା କୁସ୍ତି ଖେଳାଳୀଙ୍କ ସହ ଯୌନ ଉତ୍ପୀଡନ କରିଛନ୍ତି । ଏହାସହ ଖେଳାଳୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଓ ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଛନ୍ତି ବ୍ରିଜଭୂଷଣ । ଏହାସହ ଅଲମ୍ପିକ ଖେଳକୁ ଯିବା ବେଳେ ସେମାନଙ୍କୁ ଫିଜିଓଥେରାପି ଓ କୋଚ ଯୋଗାଇ ନଦିଆଯିବା ନେଇ କହିବାରୁ ସେମାନଙ୍କୁ ବ୍ରିଜ ଭୂଷଣ ଧମକ ଚମକ ଦେଇଥିବା କଥା ସେ ଅଭିଯୋଗ କରିଛନ୍ତି ।

ସେପଟେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବ୍ରିଜ ଭୂଷଣ କହିଛନ୍ତି କି “ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ, ଏନେଇ କେହି ମୋ ସାମ୍ନାକୁ ଆସି ପ୍ରମାଣ ଦିଅନ୍ତୁ । ୧୦ ବର୍ଷ ଧରି ମୋ ବିରୋଧରେ କୌଣସି ଅଭିଯୋଗ ନଥିବା ବେଳେ ଆଜି କାହିଁକି ଅଭିଯୋଗ ଆସିଛି ବୋଲି ସେ ଓଲଟା ପ୍ରଶ୍ନ ପଚାରିଛନ୍ତି” । ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହେବ ତେବେ ସେ ଫାଶି ପାଇବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

ସେପଟେ କୁସ୍ତି ଖେଳାଳୀଙ୍କ ଏଭଳି ପ୍ରଦର୍ଶନ ଫଳରେ ଆକ୍ସନ ମୋଡକୁ ଆସିଛି ଖେଳ ମନ୍ତ୍ରଣାଳୟ । ଏନେଇ ମନ୍ତ୍ରଣାଳୟ ତରଫରୁ ଭାରତୀୟ କୁସ୍ତି ମହାସଂଘକୁ ସ୍ପଷ୍ଟିକରଣ ମଗାଯାଇଛି । ୭୨ ଘଂଟା ମଧ୍ୟରେ ଉତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରେସଲର ଦିବ୍ୟା କାକରନ ଏକ ଟ୍ୱିଟ କରି ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ ଅଣାଯାଇଥିବା ଅଭିଯୋର ସତ୍ୟତା ନଥିବା କଥା କହିଛନ୍ତି । ହେଲେ ଏସିଆନ ଓ କମନୱେଲ୍ଥ ଗେମରେ ମେଡାଲ ଜିତିଥିବା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦିବ୍ୟା କାକରନ କିଛିଦିନ ପୂର୍ବରୁ ସରକାର ଖେଳାଳୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉନଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ।

ଏବେ ଯଦି ଆମେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷା ବ୍ରିଜ ଭୂଷଣ ଶରଣ ସିଂଙ୍କ ବାବଦରେ ଆଲୋଚନା କରିବା ତେବେ ସେ ଜଣେ ଦବଙ୍ଗ ନେତା । ସେ ଉତ୍ତରପ୍ରଦେଶର ଗୌଡାରେ ରହନ୍ତି ଓ କୈଶରଗଂଜ ଲୋକସଭା ଆସନରୁ ସେ ଭାରତୀୟ ଜନତା ପାର୍ଟି ଟିକେଟରୁ ସାଂସଦ ଭାବେ ବିଜୟୀ ହୋଇଛନ୍ତି । ଛାତ୍ର ଜୀବନରୁ ବ୍ରିଜ ଭୂଷଣ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ତାଙ୍କର ଯୁବକ ଅବସ୍ଥା ଅଯୋଧ୍ୟାର ଆଖଡାଶାଳରେ ବିତାଇଛନ୍ତି । ସେ ନିଜକୁ ଜଣେ ଶକ୍ତିଶାଳୀ ବ୍ୟକ୍ତିଭାବେ ପରିଚୟ ଦେଇଥାନ୍ତି । ସେ ପ୍ରଥମଥର ପାଇଁ ୧୯୯୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୯,୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ସାଂସଦ ଭାବେ ବିଜୟୀ ହୋଇଛନ୍ତି । ଅର୍ଥାତ ମୋଟ ସେ ୬ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ୨୦୧୧ ମସିହାରୁ ବ୍ରିଜି ଭୂଷଣ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ଜଣେ କଟ୍ଟର ହିନ୍ଦୁନେତା ଭାବେ ବ୍ରିଜଭୂଷଣଙ୍କ ନାମ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ୪୦ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ଥିଲା, ଯେଉ:ମାନେ ୧୯୯୨ ମସିହାରେ ବାବରୀ ମସଜିଦ ଭାଙ୍ଗିବାରେ ଅଭିଯୁକ୍ତ ଥିଲେ । ଏହାସହ ଅତୀତରେ ତାଙ୍କ ନାମରେ ହତ୍ୟା, ଅପହରଣ ଓ ଭଙ୍ଗାରୋଜା କରିବା ଭଳି ଅନେକ ସଂଗୀନ ଅଭିଯୋଗ ରହିଛି ।