ଓଡିଶା ଅବହେଳାର ଫାଇଦା ଉଠାଉଛି ପଡିଶା : ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଅଭିଯୋଗ କରି ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଲେ ସୀମାନ୍ତବର୍ତୀ ଗ୍ରାମବାସୀ

107

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ମଧ୍ୟରେ ଲାଗି ରହିଛି ସୀମା ବିବାଦ । ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ ଓଡିଶା-ଆନ୍ଧ୍ର ସୀମାନ୍ତ ଲାଉଗୁଡା ଗାଁରୁ ଆସିଛି ଅଭାବନୀୟ ଚିତ୍ର । ସ୍ଥାନୀୟ ଗ୍ରାମବାସୀ ଆନ୍ଧ୍ରରେ ମିଶିବା ପାଇଁ ମସୁଧା କରୁଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ମିଳୁନଥିବାରୁ ଲାଉଗୁଡା ଗ୍ରାମବାସୀ ପଡୋଶୀ ରାଜ୍ୟରେ ମିଶି ଯିବାକୁ ଚାହୁଁଥିବା କହିଛନ୍ତି । ଲାଉଗୁଡା ଗାଁରେ ୪୦ରୁ ଉଦ୍ଦ୍ୱର୍ ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରନ୍ତି ।

ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ବିତାଉଛନ୍ତି । ଏଭଳି ସ୍ଥିତିରେ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସେବା ପାଇଁ ଗାଁ ଠାରୁ ୨ କିଲୋମିଟର ଦୂର ଆନ୍ଧ୍ର ସ୍ଥିତ ଏକ ଗାଁକୁ ଯିବାକୁ ପଡୁଛି । ଏହାସହ ଗ୍ରାମବାସୀଙ୍କ ପାଖରେ ଆନ୍ଧ୍ର ସରକାରର ଆଧାର କାର୍ଡ ଓ ରାସନ କାର୍ଡ ରହିଛି । ଓଡିଶାରୁ ସେବା ମିଳୁନଥିବା ବେଳେ ଆନ୍ଧ୍ର ସବୁ ପ୍ରକାର ସୁବିଧା ଯୋଗାଇ ଦେଉଥିବାରୁ ଲୋକେ ଆନ୍ଧ୍ରରେ ମିଶି ଯିବେ ବୋଲି କହିଛନ୍ତି ।

ସେପଟେ ରାୟଗଡା- ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ ଅଂଚଳରେ ଓଡିଶା ସରକାରଙ୍କ ପକ୍ଷରୁ ହୋଇଥିବା ସୀମା ଫଳକକୁ କିଏ ଭାଙ୍ଗି ଦେଉଛି । ଫଳକ ଭାଙ୍ଗିଯିବା ପରେ ପୁଣି ରାୟଗଡା ପ୍ରଶାସନ ପକ୍ଷରୁ ତିଆରି କରାଯାଉଛି । ଓଡିଶାର ଜମିକୁ ଆନ୍ଧ୍ର୍ରର କିଛି ଲୋକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି ।