କିଏ ଏହି ମାଧବୀ ଲତା ? ଯାହାଙ୍କୁ ଓୱେସୀଙ୍କ ଗଡରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା ବିଜେପି

1,194

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗତକାଲି ପ୍ରଥମ ପର୍ଯ୍ୟାୟରେ ବିଜେପି ତରଫରୁ ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି କ୍ରମରେ ତେଲେଙ୍ଗାନାର ଚର୍ଚ୍ଚିତ ଲୋକସଭା ଆସନ ହାଇଦ୍ରାବାଦ ପାଇଁ ବିଜେପି ଚଳିତ ଥର କୋମ୍ପଲା ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି । ଏହି ଆସନ ଉପରେ ସବୁବେଳେ ଏଆଇଏମଆଇଏ ପ୍ରମୁଖ ଅସଦଦ୍ଦୁନି ଓୱେସୀ ନିର୍ବାଚନ ଲଢିଥାନ୍ତି ।

ହାଇଦ୍ରାବାଦ ଲୋକସଭା ଆସନ ଉପରେ ୧୯୮୪ ଠାରୁ ଓୱେସୀ ପରିବାରର ଦବଦବା ରହିଛି । ଏହି ଆସନକୁ ଓୱେସୀଙ୍କ ଗଡ ବୋଲି କୁହାଯାଏ । ଅସଦଦ୍ଦୁନି ଓୱେସୀଙ୍କ ପିତା ସୁଲତାନ ସଲ୍ଲାଓଦ୍ଦିନ ୧୯୮୪ ମସିହାରେ ପ୍ରଥମଥର ପାଇଁ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ କ୍ରମାଗତ ଭାବେ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ  । ଏହାପରେ ଏହି ଆସନରୁ ଏପର୍ଯ୍ୟନ୍ତ ଅସଦଦ୍ଦୁନି ଓୱେସୀ ବିଜୟୀ ହେଉଛନ୍ତି ।

ଚଳିତ ଥର ବିଜେପି ତାଙ୍କ ବିରୋଧରେ ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଥିବାରୁ ମାଧବୀଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମାଧବୀ ହେଉଛନ୍ତି ମାଧବୀ ବିରଞ୍ଜି ହସ୍ପିଟାଲର ଚେୟାର ପର୍ସନ । ବିଶେଷ ଭାବେ ମାଧବୀ ଜଣେ କଟ୍ଟର ହିନ୍ଦୁବାଦୀ ମହିଳା । କେବଳ ହସ୍ପିଟାଲର ଚେୟାର ପର୍ସନ ନୁହେଁ ମାଧବୀ ଜଣେ ପ୍ରତିଷ୍ଠିତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ।

ଏହାସହ ହାଇଦ୍ରାବାଦର ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ମାଧବୀ ବେଶ୍ ଜଣାଶୁଣା । ତାଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରିଥାଏ । ସେ ଲୋପାମୁଦ୍ରା ଚାରିଟେବୁଲ ଟ୍ରଷ୍ଟ ଓ ଲତାମା ଫାଉଣ୍ଡେସନର ମୁଖ୍ୟ ଅଟନ୍ତି ।

ବିଜେପି ତରଫରୁ ପ୍ରଥମଥର ପାଇଁ ହାଇଦ୍ରାବାଦ ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ବିଜେପି ଭଗବତ ରାଓଙ୍କୁ ଓୱେସୀଙ୍କ ବିରୋଧରେ ପ୍ରାର୍ଥୀ କରିଆସୁଥିଲା  ।