କଳାପାହାଡ଼ କବଳରୁ କଳାଠାକୁରଙ୍କ ବ୍ରହ୍ମକୁ ଉଦ୍ଧାର କରିଥିଲେ ବିସର ! ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଲୁଚି ରହିଥିବା କିମ୍ବଦନ୍ତୀ ଉପରେ ଆରମ୍ଭ ହେଲା ଚର୍ଚ୍ଚା ।

3,186

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଓ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ବିସର ମହାନ୍ତି । ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ଏବଂ ଓଡିଆ ଜାତି ପାଇଁ ତାଙ୍କ ଅବଦାନ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ବିସର ମହାନ୍ତି ।

ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିସର ମହାନ୍ତି । ଆଉ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, କିଏ ଏହି ବିସର ମହାନ୍ତି ?  ଆଉ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ କ’ଣ ତାଙ୍କ ଅବଦାନ ?

ଷୋଡଶ ଶତାବ୍ଦୀ ସମୟରେ କଳାପାହାଡ ବିଭିନ୍ନ ହିନ୍ଦୁ ମନ୍ଦିରକୁ ଆକ୍ରମଣ କରୁଥିଲା । ଏହି ସମୟରେ ତିନିଠାକୁରଙ୍କୁ ଚିଲିକାର ହାତିପଡାଠାରେ ପାତାଳୀ କରାଯାଇଥିଲା । ଗୁପ୍ତରେ ଶ୍ରୀଜିଉଙ୍କ ପୂଜା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କଳାପାହାଡ ସେଠାରୁ ଠାକୁରମାନଙ୍କୁ ନେଇ ପଶ୍ଚିମ ବଙ୍ଗର ହୁଗୁଳି କୁଳରେ ପୋଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିଆଁ ଲଗାଇବା ପରେ ତିନି ଦିଅଁଙ୍କୁ ସେଠାରେ ପକାଇ ସୈନ୍ୟମାନେ ଚାଲିଯାଇଥିଲେ । ତେବେ ନିଆଁ ଜଳିଯିବା ପୂର୍ବରୁ ତିନିଠାକୁରଙ୍କୁ ପାଣିରେ ବୁଡାଇ ବ୍ରହ୍ମଗୁଡିକୁ ଉଦ୍ଧାର କରିଥିଲେ ବିସର ମହାନ୍ତି ଏବଂ ସେଠାରୁ ନିଜ ମୃଦଙ୍ଗରେ ବ୍ରହ୍ମକୁ ଧରି ଓଡିଶାକୁ ଫେରି ଆସିଥିଲେ ।

ବହୁ କଷ୍ଟକରି ବିସର ମହାନ୍ତି ତିନି ଦିଅଁଙ୍କ ବ୍ରହ୍ମକୁ ସୁରକ୍ଷିତ ଭାବେ ଆଣି କୁଜଙ୍ଗଠାରେ ଥିବା ମହାବୀର ଆଶ୍ରମରେ ସ୍ଥାନୀୟ ସାଧୁଙ୍କ ସହାୟତାରେ ପୂଜା କରିଥିଲେ । ଏପରିକି ଏଠାରେ ନୂଆ ବିଗ୍ରହ କରି ଆଶ୍ରମ କଡରେ ଥିବା ନଦୀ କୂଳରେ ନେତ୍ରୋତ୍ସବ କରିଥିବା କୁହାଯାଏ । ଏହିପରି ଗୁପ୍ତରେ ଦୁଇ ବର୍ଷ ପୂଜା କରିବା ପରେ କୁଜଙ୍ଗ ରାଜା ଗଡ ଭିତରେ ନେଇ ତିନିଠାକୁରଙ୍କ ପୂଜା କରିବା ସହ ରଥଯାତ୍ରା କରିଥିବାର ପ୍ରମାଣ ରହିଛି ।

ଏହି ସମୟରେ ଖୋର୍ଦ୍ଧାରେ ଗଜପତି ରାମଚନ୍ଦ୍ର ଦେବ ଭୋଇ ବଂଶର ପ୍ରତିଷ୍ଠା କରିବା ସହ ଖୋର୍ଦ୍ଧାରେ ରାଜା ଭାବେ ଅଧିଷ୍ଠିତ ହେଲେ । ସେତେବେଳେ ପୁରୀ ଶ୍ରୀମନ୍ଦିରରେ ତିନିଠାକୁର ନଥିବା ଜାଣିପାରିବା ପରେ ଦିଅଁଙ୍କୁ ଖୋଜିବା ଆରମ୍ଭ କରିଥିଲେ । ମାଦଳାପାଂଜି ଅନୁସାରେ ସ୍ୱପ୍ନାଦେଶ ପରେ ରାମଚନ୍ଦ୍ର ଦେବ କୁଜଙ୍ଗ ଗଡରୁ ତିନି ଠାକୁରଙ୍କୁ ଆଣି ଅଦିନରେ ନବକଳେବର କରାଇଥିଲେ । ଖୋର୍ଦ୍ଧାରେ ଥିବା ଗୋପାଳମନ୍ଦିରରେ ନୂଆ ଦିଅଁଙ୍କୁ ସ୍ଥାପନ କରିବା ପରେ ପୁରୀ ସ୍ଥାନାନ୍ତର କରିଥିଲେ । ସେଠାରେ ପୁଣି ପୂଜା ଆରମ୍ଭ ହୋଇଥିଲା । ପୁଣି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ବିସର ମହାନ୍ତିଙ୍କ ନିଷ୍ଠା ଓ ତ୍ୟାଗ, କିଭଳି ଓଡିଆ ଜାତିର ଅସ୍ମିତାକୁ ପୁନରୁଦ୍ଧାର କରିଥିଲା, ତାହା ଏବେ ବି ଅନାଲୋଚିତ ହୋଇ ରହିଛି ।