ପଗଡି ଚିହ୍ନାଇଦେଲା ପୁରୁଣା ବନ୍ଧୁ । ବାଣୀବିହାର ମଂଚ ଉପରୁ ପୂର୍ବତନ ସାଂସଦ ବୀରଭଦ୍ର ସିଂହଙ୍କୁ ଡାକିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ୨୦୦୬ରେ ହୋଇଥିଲା ଶେଷ ଦେଖା ।

1,214

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବରେ ସାମ୍ନାକୁ ଆସିଥିଲା ଏକ ରୋଚକ ଚିତ୍ର । ଯେତେବେଳେ ନିଜ ପୁରୁଣା ବନ୍ଧୁଙ୍କ ପଗଡ଼ି ଦେଖି ଚିହ୍ନି ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଧଳା ପଗଡ଼ି ଚିହ୍ନାଇ ଦେଲା ପୁରୁଣା ବନ୍ଧୁ । ପୂର୍ବତନ ସାଂସଦଙ୍କୁ ଡାକିଲେ ରାଷ୍ଟ୍ରପତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିଲା ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ । ଆଉ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ । ଦିଲ୍ଲୀ ଗସ୍ତ ବାତିଲ କରି ପତ୍ନୀଙ୍କୁ ସାଙ୍ଗରେ ଧରି ପହଂଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଖିବା ପାଇଁ । ମଂଚତଳେ ଦର୍ଶକଙ୍କ ଗହଣରେ ଦ୍ୱିତୀୟ ଧାଡିରେ ବସିଥିବାବେଳେ ରାଷ୍ଟ୍ରପତିଙ୍କ ସହ ତାଙ୍କର ପୁରୁଣା ସଂପର୍କକୁ ମନେ ପକାଉଥିଲେ ।

ସଭା କାର୍ଯ୍ୟ ସରିବା ପରେ ମଂଚରୁ ବିଦା ନେବାକୁ ବାହାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଉ ଏତିକି ବେଳେ ଦର୍ଶକ ମହଲରେ ବସିଥିବା ଏହି ପୁରୁଣା ମିତ୍ରଙ୍କ ଉପରେ ବୋଧହୁଏ ତାଙ୍କର ଦୃଷ୍ଟି ପଡିଥିଲା । ତେଣୁ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଡାକି ତାଙ୍କ ବାବଦରେ କିଛି ପଚାରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କାନ ପାଖରେ କିଛି କହୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଉପରେ ନିବଦ୍ଧ ହୋଇଥିବା କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା ପୁରା ଦୃଶ୍ୟ । ଆଉ ହଠାତ୍ ମାଇକରେ ଶୁଣାଗଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱର । ମାଇକରେ କେନ୍ଦ୍ରମନ୍ତ୍ରୀ ଘୋଷଣା କଲେ ବୀରଭଦ୍ର ବାବୁ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ମଂଚରୁ ଓହ୍ଲାଇ ଯାଇଥିଲେ ଏବଂ ଏତେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନେ ରଖିଥିବାରୁ କୃତ୍ୟକୃତ୍ୟ ହୋଇଯାଇଥିଲେ ବୀରଭଦ୍ର ସିଂହ । ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ସେ ।

ରାଷ୍ଟ୍ରପତିଙ୍କ ସହ ବୀରଭଦ୍ରଙ୍କ ନିବିଡତା
– ୨୦୦୦ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ବୀରଭଦ୍ର ସିଂହ
– ସେହି ସମୟରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ରାମନାଥ କୋବିନ୍ଦ
– ଉଭୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିରେ ସଦସ୍ୟ ରହିଥିଲେ
– ୨ ବର୍ଷ ଏକାଠି କାମ କରିବା ଭିତରେ ବୀରଭଦ୍ରଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉଥିଲେ କୋବିନ୍ଦ
– ରାଜ୍ୟରେ ଏହି ବିଭାଗର ମନ୍ତ୍ରୀ ରହିସାରିଥିବାରୁ ସକାରାତ୍ମକ ପରାମର୍ଶ ଦେଉଥିଲେ ବୀରଭଦ୍ର

୨୦୦୬ରେ ଶେଷଥର ପାଇଁ ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ବୀରଭଦ୍ର ସିଂହ । ହେଲେ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ତାଙ୍କୁ ଭେଟିବା ପାଇଁ ଇଚ୍ଛା କରି ବାଣୀବିହାର ଛୁଟିଆସିଥିଲେ ଏହି ପୁରୁଣା ବନ୍ଧୁ । ଆଉ ବନ୍ଧୁଙ୍କ ମନକଥା ବୁଝିଲା ଭଳି ଭିଡ ଭିତରୁ ପଗଡି ଦେଖି ଚିହ୍ନି ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।