ଜାଣନ୍ତୁ, କିଏ ଏହି ନେତା ଭୂପେନ୍ଦ୍ର ପଟେଲ? ଯିଏ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

179

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଏବେ ସେଠାରେ ଆରମ୍ଭ ହେବାକୁ ଯାଇଛି ଭୂପେନ୍ଦ୍ର ସରକାର । ଆଜି ବିଜେପି ବିଧାୟକ ଦଳର ବୈଠକରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାଁରେ ମୋହର ବାଜିଛି । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନ୍ୟ ବଡ ବଡ ନେତା ଥିଲେ ମଧ୍ୟ ଘାଟଲୋଡିଆ ବିଧାୟକ ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ଥିର ହୋଇଛି ।

ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭୂପେନ୍ଦ୍ର ପଟେଲ କିଏ? ତାହା ଆଜି ବି ଅନେକ ଲୋକଙ୍କୁ ଅଜଣା । ତେବେ ଜାଣି ରଖିବା ଉଚିତ୍ ଯେ, ଭୂପେନ୍ଦ୍ର ପଟେଲ ଅହମ୍ମଦାବାଦର ଘଟଲୋଡିଆ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ, ପୂର୍ବରୁ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରଟିର ଚେୟାରମ୍ୟାନ ଥିଲେ ।

ଖାଲି ସେତିକି ନୁହେଁ, ତାଙ୍କର ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ ହୋଇଥିବାବେଳେ ସେ ଆନନ୍ଦୀବେନ ପଟେଲଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଛି । ଘାଟଲୋଡିଆ ବିଧାନସଭା ଆସନରୁ ଆନନ୍ଦୀବେନ ପଟେଲ ଲଢି ଆସୁଥିଲେ । ହେଲେ ସେ ରାଜ୍ୟପାଳ ହେବା ପରେ ଏବେ ଭୂପେନ୍ଦ୍ର ପଟେଲ ସେହି ଆସନରୁ ଜିତି ବିଧାନସଭାକୁ ପ୍ରଥମ କରି ଆସିଥିଲେ ।

ଅନ୍ୟପଟେ ଆନନ୍ଦୀବେନ ପଟେଲଙ୍କ ନିକଟତମ ନେତା ହେବା ସହିତ ଭୂପେନ୍ଦ୍ର ପଟେଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ଘନିଷ୍ଠ ବୋଲି ଜଣାଯାଏ । ଭୂପେନ୍ଦ୍ର ପଟେଲ ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି । ପଟିଦାର ସମ୍ପ୍ରଦାୟ ସହିତ ବିଜେପିର ଭଲ ସମ୍ପର୍କ ନଥିବାରୁ, ତାଙ୍କୁ ମୁଖ୍ୟମନ୍ତ୍ରୀ ବନେଇ ଦଳ ପଟିଦାର ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।