ଗୁଜରାଟକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ : ଜାଣନ୍ତୁ ଭୂପେନ୍ଦ୍ର ପଟେଲ କିଏ ?

150

କନକ ବ୍ୟୁରୋ : ଗୁଜରାଟର ପଟିଦାର ନେତା ତଥା ଘାଟଲୋଡ଼ିୟା ଆସନର ବିଧାୟକ ଭୂପେନ୍ଦ୍ର ପଟେଲ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତାଫା ଦେବାର ୨୪ ଘଣ୍ଟା ମଧ୍ୟରେ ବିଜେପି ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ତେବେ ଜାଣନ୍ତୁ କିଏ ଏହି ଭୂପେନ୍ଦ୍ର ପଟେଲ ?

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାମ ବିଜେପି ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହେବା ସହ ରାଜ୍ୟ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଭୂପେନ୍ଦ୍ର ପଟେଲ ଏବେ ଗୁଜରାଟର ଘାଟଲୋଡ଼ିୟା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ସେ ପଟିଦାର ସମାଜର ଜଣେ ଟାଣୁଆ ନେତା ଭାବେ ପରିଚିତ ଏବଂ ତ୍ରୁଣମୂଳସ୍ତରରେ ତାଙ୍କର ଉଲ୍ଲେଖନୀୟ ସାଂଗଠନିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବେଶ ଆସ୍ଥାଭାଜନ ହୋଇପାରିଛନ୍ତି । ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲ ଅହମ୍ମଦାବାଦର ସିଲାଜ ଅଂଚଳର ବାସିନ୍ଦା ଏବଂ ସେ ସିଭିଲ୍‌ ଇଂଜିନିୟରିଂରେ ଡିପ୍ଲୋମା କରିଛନ୍ତି । ସେ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅନୁଭୂତି ରହିଛି ।

୧୯୯୯-୨୦୦୦ରେ ସେ ମେମ୍‌ନଗର ପୌରପାଳିକାର ଅଧ୍ୟକ୍ଷ ରହିଥିଲେ । ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ସେ ଅହମ୍ମଦାଦ ସହରାଞ୍ଚଳ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ରହିଥିଲେ । ରାଜ୍ୟରେ ପଟେଲ ସମୁଦାୟର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ନେତୃତ୍ବ ଦଳକୁ ଯଥେଷ୍ଟ ଫାଇଦା ଦେଇଥିବା ବେଳେ ଏହି ସମୁଦାୟର ଜଣେ ନିର୍ଭରଯୋଗ୍ୟ ନେତାଭାବେ ସେ ସବୁ ମହଲରେ ପରିଚିତ । ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଭୂପେନ୍ଦ୍ର ୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କର ନିକଟମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଶଶିକାନ୍ତ ପଟେଲଙ୍କୁ ୧ ଲକ୍ଷ ୧୭ ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ । ଗତକାଲି ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିନ ପଟେଲ କିମ୍ବା ସିଆର୍‌ ପାଟିଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । ତେବେ ଆଦୌ ଚର୍ଚ୍ଚାରେ ନଥିବା ଜଣେ ନିର୍ବିବାଦୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ବ ଚାହିଥିଲେ ଏବଂ ଭୂପେନ୍ଦ୍ରଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା ।

ଭୂପେନ୍ଦ୍ର ପଟେଲ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ମାତ୍ର ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଜେପି ନେତୃତ୍ବ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରିବାକୁ ଯାଉଛି । ରାଜ୍ୟର ମୋଟ ଜନସଂଖ୍ୟାର ୧୪ ପ୍ରତିଶତ ପଟିଦାର ସମୁଦାୟର ହୋଇଥିବା ବେଳେ ସରକାର ଗଠନରେ ଏହି ସମାଜର ବଡ଼ ଭୂମିକା ରହୁଛି। ତେଣୁ ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଟିଦାର ସଂପ୍ରଦାୟର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରଣନୀତିକ ଦୃଷ୍ଟିରୁ ଏକ ମାଷ୍ଟର‌ଷ୍ଟ୍ରୋକ୍‌ ଖୋଳିଛି । ତେବେ ଦଳର ବହୁ ବରିଷ୍ଠ ନେତାଙ୍କୁ ପଛରେ ପକାଇ ଭୂପେନ୍ଦ୍ର ନେତା ନିର୍ବାଚିତ ହେବା ସମସ୍ତଙ୍କୁ ଚମକାଇ ଦେଇଛି । ଭୂପେନ୍ଦ୍ର ସରକାରରେ ମନ୍ତ୍ରୀ ନଥିଲେ କି ଦଳର କୌଣସି ବଡ଼ ପଦପଦବିରେ ନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଯେଭଳି ଚକିତକାରୀ ନିଷ୍ପତ୍ତି ନେଇଥିଲେ ଏବେ ଗୁଜରାଟ କ୍ଷେତ୍ରରେ ବି ତାହାର ପୁନରାବୃତ୍ତି ହୋଇଛି । ବିଧାୟକ ଦଳ ବୈଠକରେ ହିଁ କେନ୍ଦ୍ରୀୟ ନେତୃତ୍ବର ନିଷ୍ପତ୍ତି ସଂପର୍କରେ ଜଣାଇ ଦିଆଯାଇଥିଲା ଏବଂ ସବୁ ନେତା ଏହାକୁ ଗ୍ରହଣ କରିଥିଲେ ।