ଏତେ ବଡ଼ ଆନ୍ଦୋଳନ ପଛରେ କିଏ? ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କୁ ନେଇ ଚର୍ଚ୍ଚା ।

893

କନକ ବ୍ୟୁରୋ: ପ୍ରଶାନ୍ତ ମେଣ୍ଡୁଲି, ସଭାପତି ଡ୍ରାଇଭର ମହାସଂଘ । ମୁଣ୍ଡରେ ନାଲି ଗାମୁଛାର ପଗଡ଼ି । ଅଳ୍ପ ବୟସ, ମୁହଁରେ ଆତ୍ମବିଶ୍ୱାସ । କଥାରେ ଦମ୍ଭ । ମାତ୍ର ୩ ଦିନ ତଳେ ଓଡ଼ିଶାରେ ଅଜଣା ଥିବା ଏହି ଯୁବକ ଏବେ ଚର୍ଚ୍ଚାରେ । କାରଣ ତାଙ୍କରି ଇସାରାରେ ରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଡ୍ରାଇଭର । କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ଜଣେ ଯୁବକ ଯେ ଆନ୍ଦୋଳନର ନେତୃତ୍ୱ ନେଇ ଅଚଳବସ୍ଥା ସୃଷ୍ଟି କରିପାରନ୍ତି, ତାହା ପ୍ରମାଣିତ ହୋଇଛି । ରାଜ୍ୟରେ ଯେତେ ବଡ଼ ଆନ୍ଦୋଳନ ହୋଇଛି, ଏହାର ନେତୃତ୍ୱ ରାଜନୈତିକ ଦଳ ନେଇଛନ୍ତି । କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନର ନେତୃତ୍ୱ ନେଇ ଆଲୋଚନାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି ପ୍ରଶାନ୍ତ ।

ତାଙ୍କ ନେତୃତ୍ୱ ଷ୍ଟାଇଲ୍ ମଧ୍ୟ ନିଆରା । ଆନ୍ଦୋଳନର ଆଗରେ ସେ ନଥିଲେ, ପଛରେ ରହି ଭିଡିଓ ଜାରି କରି ଆନ୍ଦୋଳନକୁ ସଞ୍ଚାଳନ କରୁଥିଲେ । ଆନ୍ଦୋଳନରତ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଆନ୍ଦୋଳନର ପ୍ରଥମ ଦିନରେ ଭିଡିଓ ଜାରି କରି ଚେତାବନୀ ଦେଇଥିଲେ । ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିବା ବେଳେ ଏହା ଟ୍ରେଲର ଥିଲା ବୋଲି କହି ସରକାରଙ୍କୁ ଫିଲ୍ମ ଷ୍ଟାଇଲରେ ଚେତାବନୀ ଦେଇଛନ୍ତି ।

ଅବଶ୍ୟ କାର୍ଯ୍ୟାନୁଷ୍ଠାନ ଭୟରେ କୌଣସି ଅଜ୍ଞାତ ସ୍ଥାନରେ ରହି ଭିଡିଓ ଜାରି କରୁଥିଲେ ପ୍ରଶାନ୍ତ ମେଣ୍ଡୁଲି । ଏପଟେ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ସଂଘ ଆନ୍ଦୋଳନରୁ ଓହରୁ ଥିଲେ । କିନ୍ତୁ ନିଷ୍ପତି ନେବାରେ ଅଯଥା ବିଳମ୍ବ କରିଥିଲେ ଡ୍ରାଇଭର ମହାସଂଘର ସଭାପତି । ଯଦି ଦିନକ ପୂର୍ବରୁ ସେ ଆନ୍ଦୋଳନର ପ୍ରତ୍ୟାହାର ଘୋଷଣା କରିଥାନ୍ତେ, ତେବେ ଅଯଥାରେ ଲୋକ ହଇରାଣ ହୋଇନଥାନ୍ତେ । ଗୋଟିଏ ଦିନର ରୋଜଗାର ହରାଇ ନଥାନ୍ତେ ଡ୍ରାଇଭର । ଆନ୍ଦୋଳନର ତୃତୀୟ ଦିନରେ ଡ୍ରାଇଭର, ଜନସାଧାରଣ ଓ ସରକାର ଦ୍ୱନ୍ଦ୍ୱରେ ପଡ଼ିଥିଲେ । ପ୍ରଥମେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ, ଶେଷରେ ତାହା ବଦଳାଇଥିଲେ । ନିଷ୍ପତି ନେବାରେ ବିଳମ୍ବ କରି ଦେଇଥିଲେ ପ୍ରଶାନ୍ତ ।