ରାଜଧାନୀ ଛାତିରେ ଜମି କେଳେଙ୍କାରୀ । କିଏ ମାଡି ବସିଛି କୋଟି କୋଟି ଟଙ୍କାର ଜମି?

224

କନକ ବ୍ୟୁରୋ: ଭୁବନେଶ୍ୱର ପାତ୍ରପଡା ରାସ୍ତା କଡରେ ଥିବା ଜମିକୁ ନେଇ ଉଠିଛି ବିବାଦ । ଶହ ଶହ କୋଟି ଟଙ୍କାର ଏହି ଜମିକୁ ସେତେବେଳର ବରିଷ୍ଠ ଆଇଏସ- ଆଇପିଏସ ଅଧିକାରୀ ମାନେ ଚଞ୍ଚକତା କରି ନିଜ ନାଁରେ କରି ନେଇଥିବା ନେଇ ଅଭିଯୋଗ ଆସିଥିଲା । ଆଉ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏହି ଜମି ଉପରେ ଛିଡା ହୋଇଥିବା ଆଇଏଏସ ଅଧିକାରୀଙ୍କ ବିରାଟ ଅଟ୍ଟାଳିକା ସମ୍ମୁଖରେ ପହଞ୍ଚି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲା କନକ ନ୍ୟୁଜ୍ । ହେଲେ ବାବୁ ଘରେ ନାହାଁନ୍ତି କହି ଘଉଡାଇ ଦେଇଥିଲେ କେୟାର ଟେକର ।

ସେହିପରି କିଛି ସ୍ଥାନରେ ଅର୍ଦ୍ଧନିର୍ମିତ ଘର, ଦୋକାନ ଘର, ଇଣ୍ଡଷ୍ଟ୍ରି, କବାଡିଆ ଦୋକାନ ଆଦି କରି ଜାଗା ମାଲିକ ଲକ୍ଷ ଲକ୍ଷ ଚଙ୍କା କମାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଜମି ବାବଦକୁ ଆସିବା ପରେ,ପୂର୍ବତନ ଆଇପିଏସ ଅଧିକାରୀ ନାଗେଶ୍ୱର ରାଓ ଏବଂ ସଂଜୀବ ମାରିକ ଏନେଇ ମୁହାଁ ମୁହିଁ ହୋଇଥିଲେ ।

ଅନ୍ୟପଟେ ସୂଚନାଧିକାର କର୍ମୀଙ୍କ ଅଭିଯୋଗ ୪ ବରିଷ୍ଠ ଅଧିକାରୀ ଜମି ମାଲିକଙ୍କ ସହ ମିଶି ଚଞ୍ଚକତା କରି ଏହି ଜମି ହାତେଇଛନ୍ତି । ଅଭିଯୋଗ ଅନୁସାରେ ସରକାରୀ ଜମିକୁ ହାତ ଲେଖା ପଟ୍ଟା କରି ଏହି ଜମି ସବୁ ହଡପ କରାଯାଇଛି । ଏକ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଗଲେ ହିଁ ପ୍ରକୃତ ସତ ସାମନାକୁ ଆସିବ ଏବଂ ଅସଲ ମୁଖା ଖୋଲିଯିବ । ଆଉ ଏହା ପଛରେ ଥିବା ମୁଖ୍ୟ ଷଡଯନ୍ତ୍ରକାରୀର ଚେହେରା ସାମାନକୁ ଆସିବ ବୋଲି କୁହାଯାଉଛି ।

ଏଠାରେ ପ୍ରଶ୍ନ ଉଠୁଛି…

  • କିଏ କିଏ ଏହି ଜମି ଦୁର୍ନୀତିରେ ସଂପୃକ୍ତ ?
  • କେବେ ପଦାକୁ ଆସିବ ମୁଖ୍ୟ ଷଡଯନ୍ତ୍ରକାରୀର ଚେହେରା ?
  • କାହା ଛତ୍ରଛାୟା ତଳେ ରହି ଆଇପିଏସ କରିଛନ୍ତି ଜମି ଘୋଟାଲା ?
  • ସେତେବେଳେ କାହିଁକି ଚୁପ ବସିଥିଲା ଅର୍ଥନୈତିକ ଅପରାଧ ଶାଖା ?