କିଏ ଖାଇଗଲା ସ୍ୱାଭିମାନ ଅଂଚଳର ପାଇଖାନା ଟଙ୍କା? ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ଭିତରେ ବି ସରକାରୀ ବାବୁ, ଖୋଜି ବାହାର କରିଥିଲେ ଗଳାବାଟ! 

Advertisment
କିଏ ଖାଇଗଲା ସ୍ୱାଭିମାନ ଅଂଚଳର ପାଇଖାନା ଟଙ୍କା? ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ଭିତରେ ବି ସରକାରୀ ବାବୁ, ଖୋଜି ବାହାର କରିଥିଲେ ଗଳାବାଟ! 
କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ବିକାଶର ଅସଲ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । ବାବୁ-ଠିକାଦାର ମିଳିମିଶି କିପରି ସ୍ୱଚ୍ଛ ଭାରତ ମିସନ୍ ଟଙ୍କାକୁ ଚଳୁ କରିଛନ୍ତି, ତାହାର ଅସଲ କାହାଣୀ ଆପଣଙ୍କୁ ଦେଖାଇଛୁ ।  ହିତାଧିକାରୀଙ୍କ ନାଁରେ ଆସିଥିବା ପାଇଖାନା କେବଳ କାଗଜ କଲମ ରେ ସାରି ଦିଆଯାଇଛି । ସ୍ୱାଭିମାନ ଅଂଚଳରେ ଏମିତି ଅନେକ ଗାଁ ରହିଛି, ଯେଉଁଠି ଆଦୌ ପାଇଖାନାର ଚିହ୍ନ ବର୍ଣ୍ଣ ନାହିଁ, କିନ୍ତୁ କାଗଜପତ୍ରରେ ଗାଁ ଏବେ ବାହ୍ୟ ମଳମୁକ୍ତ । ଦୁର୍ନୀତି ରୋକିବାକୁ ଯେଉଁଠି ଜିଓ ଟ୍ୟାଗିଙ୍ଗ ଠାରୁ ଆରମ୍ଭ କରି ଅନ୍ଲାଇନ୍  ପେମେଂଟ ବ୍ୟବସ୍ଥା ରହିଛି, ସେଠି ବି ଜାଲିଆତି କରାଯାଇ ହଡ଼ପ କରାଯାଇଛି ଟଙ୍କା ।
ଏ ହେଉଛି ସ୍ୱାଭିମାନ ଅଂଚଳର ପଣସପୁଟ ପଂଚାୟତ ଅନ୍ତର୍ଗତ ବେଜିଂ ଗାଁ । ସରକାରୀ ରିପୋର୍ଟ କହୁଛି, ୨୦୧୮ – ୧୯ ଆର୍ôଥକ ବର୍ଷରେ ଗାଁରେ ୨୫ଟି ସିମେଂଟ ଓ ଇଟା ତିଆରି ପାଇଖାନା ହୋଇଛି । ଆଉ ୨୦୧୯ -୨୦ରେ ଗାଁରେ ୧୧୦ଟି ଟିଣ ତିଆରି ପାଇଖାନା ନିର୍ମାଣ ହୋଇଛି । ଏ ହେଉଛି ସ୍ୱଚ୍ଛ ଭାରତ ମିଶନ ୱେବସାଇଟରେ ଥିବା ତଥ୍ୟ । ତେବେ ଗାଁରେ ଗୋଟିଏ ହେଲେ ଟିଣ ତିଆରି ପାଇଖାନା ନାହିଁ । ସେହିପରି ପଣସପୁଟ, ଅଣ୍ଡ୍ରାପାଲି, ଯନ୍ତ୍ରୀ ଓ ଯୋଡାମ୍ବ ଗ୍ରାମ ପଂଚାୟତର ଶିମିଳିପଦର, ଗୌଡପୁଟ ପରି ଅନେକ ଗାଁରେ ଆଦୌ ପାଇଖାନା ନିର୍ମାଣ ହୋଇନାହିଁ, ମାତ୍ର କାଗଜପତ୍ରରେ ସବୁ ତିଆରି ସରିଛି ।
ପଣସପୁଟ ପଂଚାୟତ ସିନ୍ଧିପୁଟ ଗାଁର ଭୀମସେନ ଖିଲୋ । ଭୀମସେନ ଗାଁର ଜଣେ ଶିକ୍ଷିତ ଓ ଜଣାଶୁଣା ବ୍ୟକ୍ତି । କାଗଜପତ୍ରରେ ତାଙ୍କ ପାଇଖାନା କାମ ସରିଥିବା ଜାଣି ଭୀମସେନଙ୍କ ପାଦ ତଳୁ ମାଟି ଖସିଯାଇଛି । ସେହିପରି ସିନ୍ଧିପୁଟ ଗାଁ ଦଶରଥ ଗୋଲୋରୀଙ୍କ ପାଇଖାନାରେ ନା ଅଛି ଟାଙ୍କି, ନା ଅଛି ପ୍ୟାନ । ସେହିପରି ବଳରାମ ଖିଲୋଙ୍କ ପାଇଖାନା କାମ ସରିନି, ହେଲେ ସରକାରୀ ହିସାବରେ କାମ ଶେଷ ।
ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଡାଇରେକ୍ଟ ବେନିଫିଟ ସିଷ୍ଟମ ସାଙ୍ଗକୁ ପିଏଫ୍ଏମ୍ଏସ୍ ମାଧ୍ୟମରେ ଅର୍ଥ ପୈଠ କରିବା ବ୍ୟବସ୍ଥା ରହିଛି । ନିର୍ମିତ ପାଇଖାନାର ଫଟୋ ଅପଲୋଡ ଓ ଜିଓ ଟ୍ୟାଗିଙ୍ଗ ହେବା ପରେ ବିଡିଓ ଓ ଯନ୍ତ୍ରୀଙ୍କ ଡିଜିଟାଲ ସ୍ୱାକ୍ଷରରେ ଟଙ୍କା ପେମେଂଟ ହୋଇଥାଏ ।  ଏବେ ପ୍ରଶ୍ନ ଉଠୁଛି, କ୍ଷେତ୍ର କର୍ମଚାରୀ କିମ୍ବା ଯନ୍ତ୍ରୀ ବିନା କାମରେ ଫଟୋ ଅପଲୋଡ କଲେ କେମିତି? ପାଇଖାନା ନ ଥାଇ ଜିଓ ଟ୍ୟାଗିଙ୍ଗ କିପରି ସମ୍ଭବ ହେଲା? ଅନୁସନ୍ଧାନ ନ କରି ଫାଇଲ୍କୁ କିପରି ଆଗକୁ ବଢ଼ାଇଲେ ବିଡିଓ ଓ ଅନ୍ୟ ବ୍ଲକ ଅଧିକାରୀ? ବିଡିଓ ଏବଂ ଯନ୍ତ୍ରୀ ନିଜ ନିଜ ଡଙ୍ଗଲ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭେଣ୍ଡରମାନଙ୍କୁ କେମିତି ଦେଲେ ପେମେଂଟ?
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୁର୍ନୀତି ଜଳ ଜଳ ହୋଇ ଦିଶୁଥିବା ବେଳେ କିଛି ଦୁର୍ନୀତି ହୋଇନାହିଁ ବୋଲି ଅବାନ୍ତର ଯୁକ୍ତିି ବାଢ଼ିଛନ୍ତି ବିଡିଓ ।
ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିନା କାଗଜ ପତ୍ରରେ ଶହ ଶହ ପାଇଖାନାର ଅର୍ଥ ହରିଲୁଟ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe