କନକ ବ୍ୟୁରୋ : ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ନିରଞ୍ଜନ କାହିଁକି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ହେଲେ, ତାହା ଅନେକ ସନ୍ଦେହ ସୃଷ୍ଟି କରିଛି । ନିରଂଜନ ସେଠୀ ଜଣେ ଅବସରପ୍ରାପ୍ତ ଓଆଇଏସ ଅଫିସର । ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ହତ୍ୟା ଭଳି ସଂଗୀନ ଅପରାଧ ସହ ସଂପୃକ୍ତ ହେବାକୁ କାହିଁକି ପଛାଇଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନ । କାହାକୁ ବଂଚାଇବାକୁ ଯାଇ ମାନସଙ୍କୁ ବଳି ପକାଗଲା, ସେ ନେଇ ପ୍ରଶ୍ନ ଉଠୁଛି ।
କାହିଁକି ହତ୍ୟା ଭଳି ଅପରାଧ କଲେ ନିରଞ୍ଜନ ? ଅଶ୍ଳୀଳ ଫିଲ୍ମ ସହ ରହିଛି କି ନିରଞ୍ଜନଙ୍କ ସମ୍ପର୍କ ? ନିରଞ୍ଜନଙ୍କ ସହ ଅଛନ୍ତି କି ଆଉ କିଛି ବଡ଼ବଡ଼ିଆ ? ନିରଞ୍ଜନ ଜଣେ ଅବସରପ୍ରାପ୍ତ ଓଆଇଏସ ଅଫିସର । ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ହତ୍ୟା ଭଳି ସଙ୍ଗୀନ ଅପରାଧ ସହ ସମ୍ପୃକ୍ତ ହେବାକୁ କାହିଁକି ପଛାଇଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଭଦ୍ରକ ପୁଲିସ ଯେଉଁ ଭଳି ଭାବେ ନିରଞ୍ଜନ ସେଠୀଙ୍କୁ ଚିତ୍ରଣ କରିଛି, ତାହା ସମସ୍ତଙ୍କୁ ଚକିତ କରିଛି । ନିରଞ୍ଜନ କେବଳ ଷଡଯନ୍ତ୍ରକାରୀ ନୁହଁନ୍ତି, ଅପହରଣ ଠାରୁ ହତ୍ୟା ଏବଂ ହତ୍ୟା ପରେ ମୃତଦେହକୁ ଗାତଖୋଳି ପୋତି ଦେବା ପର୍ଯ୍ୟନ୍ତ ସବୁକିଛିରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା କହିଛି ପୁଲିସ । ତେଣୁ ପ୍ରଶ୍ନ ଉଠୁଛି, ମାନସଙ୍କ ନିକଟରେ କ’ଣ ଥିଲା ଯେ ଭୟଭୀତ ହୋଇ ପଡ଼ିଥିଲେ ନିରଞ୍ଜନ ? ଯେଉଁ ଭିଡିଓ କ୍ଲିପ୍ କଥା କୁହାଯାଉଛି, ସେଥିରେ ରହିଛି କି ନିରଞ୍ଜନଙ୍କ ସଂପର୍କ ? କେବଳ ନିରଂଜନ ନା’ ଆଉ କିଛି ଅଫିସର ଓ ବଡ଼ବଡ଼ିଆ ରହିଛନ୍ତି ପୃଷ୍ଠଭୂମିରେ ?
ମାନସ ହତ୍ୟାକାଣ୍ଡରେ ଫେରାର ଥିବା ଶର୍ମିଷ୍ଠା ରାଉତଙ୍କ ଗଡ୍ ଫାଦର ଥିଲେ ନିରଞ୍ଜନ ସେଠୀ । ସୂଚନା ଓ ଲୋକସମ୍ପର୍କ ବୈଷୟିକ ନିର୍ଦ୍ଦେଶକ ଥିବା ବେଳେ ଶର୍ମିଷ୍ଠାଙ୍କ ୱେବ ଚ୍ୟାନେଲକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ମଧ୍ୟ ରହିଛି ତାଙ୍କ ବିରୋଧରେ । ହତ୍ୟାକାଣ୍ଡର ଗୁମର ପୁଲିସ ଯେତିକି ଖୋଲିଛି, ସେତିକି ରହସ୍ୟ ଘେରକୁ ପଶିଯାଇଛି ଏହି ମାମଲା ।
ଭଦ୍ରକ ପୁଲିସ ନିରଂଜନଙ୍କ ଅପରାଧ ସଂପର୍କରେ ଖୁଲାସା କରିଛି । ତେବେ କାହିଁକି ହତ୍ୟା ଭଳି ଅପରାଧ କରିବା ପାଇଁ ସେ ପଛଘୁଂଚା ଦେଲେନାହିଁ, ସେ ସଂପର୍କରେ କିଛି କହିନାହିଁ ପୁଲିସ । ଯେଉଁ ଭିଡିଓ କ୍ଲିପକୁ ନେଇ ଏତେ ବଡ଼ କାଣ୍ଡ ଘଟିଲା, ସେହି କ୍ଲିପ୍ କୁଆଡ଼େ ଗଲା, ତାହା ମଧ୍ୟ ଜଣାପଡିନି । ସମ୍ଭବତଃ ସେହି ଭିଡିଓ କ୍ଲିପ୍ ସାମନାକୁ ଆସିଲେ, ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ । ଏହି ମାମଲା ନିରଂଜନଙ୍କ ନିକଟରେ ଅଟକିଯିବ । ନା’ ଆଉ କିଛି ବଡ଼ ବଡ଼ ଚେହେରାଙ୍କ ପର୍ଯ୍ୟନ୍ତ ହାତ ଯିବ ତାକୁ ନେଇ ଚର୍ଚ୍ଚା ହେଉଛି ।