ଦିଲ୍ଲୀ ହିଂସାର କାରଣ ଖୋଜୁଛି ପୁଲିସ! ଆପ ନେତାଙ୍କ ଘର ଛାତ ଉପରୁ ମିଳିଲା ପେଟ୍ରୋଲ ବମ୍ ଓ ଏସିଡ୍, ଫ୍ୟାକ୍ଟ୍ରି ଓ ଘରକୁ ସିଲ୍ କଲା ପୋଲିସ । ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ଓ ଆପ ନେତାଙ୍କ ନାଁରେ ମାମଲା ରୁଜୁ ।

439

କନକ ବ୍ୟୁରୋ: ଦିଲ୍ଲୀ ହିଂସାରେ ପ୍ରାଣ ହରାଇଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥାର ସିକ୍ୟୁରିଟି ଆସିଷ୍ଟାଂଟ ଅଙ୍କିତ ଶର୍ମା । ପୁଅର ମୃତ୍ୟୁ ପାଇଁ ଆପ କାଉନସିଲର ହାଜି ତାହିର ହୁସେନଙ୍କୁ ଦାୟୀ କରିଛନ୍ତି ଅଙ୍କିତଙ୍କ ପରିବାର । ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ କିଛି ଏହିଭଳି ଭିଡିଓ ପ୍ରସାରିତ ହେଉଛି, ଯାହା ଆପ କାଉନସିଲର ତାହିର ହୁସେନଙ୍କ ଘର ଛାତ ବୋଲି ଦାବି କରାଯାଉଛି । ଦିଲ୍ଲୀର ଖଜୁରୀ ଅଂଚଳରେ ଥିବା ଆପ କାଉନସିଲର ତାହିରଙ୍କ ଘର ଛାତ ଉପରୁ ମିଳିଛି ପଥର, ବାଟୁଳି ଖଡା ଓ ପେଟ୍ରୋଲ ବମ୍ । ଚର୍ଚ୍ଚା ଏପରି ହେଉଛି ଯେ, ଘଟଣାଦିନ ଏହିଠାରୁ ପ୍ରତିବାଦ ପ୍ରଦର୍ଶନକାରୀଙ୍କ ଉପରେ ପଥର ଓ ପେଟ୍ରୋଲ ବୋମା ମାଡ କରାଯାଇଥିଲା । ଆପ ନେତାଙ୍କ ଘର ଛାତ ଉପରେ କ୍ୟାରେଟରେ ଭର୍ତି ଏହି ପେଟ୍ରୋଲ ବୋମା ଏକ ବଡ ଷଡଯନ୍ତ୍ର ଆଡକୁ ଇସାରା କରୁଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ । ଘର ଛାତ ଉପରେ ରହି ପଥର ମାଡ କରୁଛନ୍ତି କିଛି ଦୁର୍ବୃତ । ହାତରେ ଧରିଛନ୍ତି ଲୁହା ରଡ । ଦିଲ୍ଲୀରେ ଦଙ୍ଗା କରିବା ପାଇଁ ଏହିଠାରୁ ବର୍ଷା ହେଉଛି ପଥର ଓ ପେଟ୍ରୋଲ ବୋମା । ଦାବି କରାଯାଉଛି ଏହି ଘର ମଧ୍ୟ ମୁସ୍ତାଫାବାଦ ବିଧାନସଭା କ୍ଷେତ୍ରରେ ଥିବା ନେହରୁ ବିହାର ୱାର୍ଡରେ ଆପ ନେତା ତାହିର ହୁସେନଙ୍କର । ଯଦିଓ ଘରଟି ତାଙ୍କର ବୋଲି ତାହିର ସ୍ୱୀକାର କରିଛନ୍ତି କିନ୍ତୁ ହିଂସାଦିନ ଘରେ ସେ ନଥିଲେ ବୋଲି ସଫେଇ ଦେଇଛନ୍ତି । ଏବେ ଆଶଙ୍କା କରାଯାଉଛି ଦଙ୍ଗାକାରୀଙ୍କ ଆକ୍ରମଣରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁର ସଂପର୍କ ଏହି ଘର ସହିତ ରହିଛି, ଯେଉଁଠାରୁ ହିଂସାକୁ ଉସୁକାଇବା ପାଇଁ ଚାଲିଥିଲା ସାଂଘାତିକ ଷଡଯନ୍ତ୍ର ।

ସେପଟେ ଜାଫରାବାଦରେ ହିଂସାକୁ ଉସୁକାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ କଂଗ୍ରେସ ନେତା ମାଟିନ ଅହମ୍ମଦ ଓ ଆପ କାଉନସିଲର ଅବଦୁଲ ରେହମାନଙ୍କ ନାଁରେ ମାମଲା କରିଛି । ପୋଲିସ ଏଫାଆଇଆର ଅନୁସାରେ ଅନୁମତି ନଥାଇ ଦୁଇଟି ରାଲିର ଆୟୋଜନ କରିଥିଲେ ଅହମ୍ମଦ ଓ ରେହମାନ । ଦୁଇଟିଯାକ ରାଲି ଜାଫରାବାଦର ୬୬ ନମ୍ବର ରୋଡରେ ଏକାଠି ହୋଇଥିଲେ । ପୋଲିସ ଏମାନଙ୍କୁ ଇଟକାଇବାକୁ ଚେଷ୍ଟା କଲାବେଳେ ଅଚାନକ ପ୍ରତିବାଦକାରୀ ପୋଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଫଳରେ ହିଂସାତ୍ମକ ରୂପ ନେଇଥିଲା ପ୍ରତିବାଦ । ପ୍ରତିବାଦକାରୀଙ୍କ ପଥର ମାଡରେ ସୁରକ୍ଷାକର୍ମୀ ଆହତ ହେବା ପରେ ପୋଲିସ ମଧ୍ୟ ଲାଠି ଚାର୍ଜ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଆନ୍ଦୋଳନକାରୀ ବ୍ୟାପକ ପୋଡାଜଳା ଆରମ୍ଭ କରିଦେଲେ । ପୋଲିସ ବୁଥରୁ ଆରମ୍ଭ କରି ସର୍ବସାଧାରଣ ସୌଚାଳୟରେ ନିଆଁ ଲଗାଇଦେଲେ । କେତେକ ଦୁଇ ଚକିଆ, ଗୋଟିଏ ଅଲ୍ଟୋ ଗାଡି, ବସ ଓ ସ୍କୁଲ ବସକୁ ପୋଡି ପାଉଁଶ କରିଦେଇଥିଲେ ।