କନକ ବ୍ୟୁରୋ : ମାଧୱାଲଙ୍କ ମ୍ୟାଜିକରେ ଏଲିମିନେଟର ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ୮୧ ରନରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପରାସ୍ତ କରିଛି ଦଳ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୮ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ନୌ ୧୦୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ୫ ୱିକେଟ୍ ନେଇ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆକାଶ ମାଧୱାଲ ।
ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ମାଧୱାଲ୍ଙ୍କ ସହ ଅନ୍ୟମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ଲକ୍ଷ୍ନୌ ବିପର୍ଯ୍ୟୟରେ ବୁଡ଼ି ରହିଥିଲା । କେବଳ ମାର୍କସ ଷ୍ଟୋଇନିସ୍ ୪୦ ରନ୍ କରି ଧିରେଧିରେ ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରୁଥିଲେ ବି ଦ୍ବାଦଶ ଓଭରରେ ରନ୍ ଆଉଟ୍ ହେବାରୁ ଲକ୍ଷ୍ନୌର ସବୁ ଆଶା ମଉଳି ଯାଇଥିଲା ।
ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ବିନିମୟରେ ୧୮୨ ରନ୍ ସଂଗ୍ରହ କରିଥିଲା। ଈଶାନ କିଶନ ଓ ରୋହିତ ଶର୍ମା ପ୍ରଥମରୁ ୧୦.୦୦ ହାରରେ ରନ୍ ସଂଗ୍ରହ କରୁଥିଲେ। କିନ୍ତୁ ଆଫ୍ଗାନୀ ବୋଲର ନବୀନ ଉଲ୍ ହକ୍ ଓ ୟାଶ ଠାକୁର ଉଭୟଙ୍କୁ ପାୱାର ପ୍ଲେ ଭିତରେ ଆଉଟ୍ କରିଥିଲେ। ତଥାପି କାମେରନ୍ ଗ୍ରିନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ତୃତୀୟ ୱିକେଟ୍ରେ ୬୬ ରନ୍ ଯୋଡ଼ିଥିଲେ। ହେଲେ ୧୧ତମ ଓଭରରେ ନବୀନ ପୁଣି ଥରେ ଗ୍ରିନ୍ ଓ ସୂର୍ଯ୍ୟଙ୍କୁ ଗୋଟିଏ ବଲ୍ ବ୍ୟବଧାନରେ ଆଉଟ୍ କରି ଲକ୍ଷ୍ନୌକୁ ବଡ଼ ସଫଳତା ଦେଇଥିଲେ। ତିଳକ ବର୍ମା କିଛି ଆକର୍ଷଣୀୟ ସଟ୍ ଖେଳି ଦଳକୁ ୧୫୦ ପାର୍ କରାଇଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ।
ଲକ୍ଷ୍ନୌକୁ ପରାସ୍ତ କରି ଆଇପିଏଲ୍-୨୦୨୩ର ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି ମୁମ୍ବାଇ । ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ମୁକାବିଲା ହେବ । ପୂର୍ବରୁ ପ୍ରଥମ କ୍ୱାଲିଫାୟର ଜିତି ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଏବେ ଦ୍ୱିତୀୟ କ୍ୱାଲିଫାୟର ବିଜେତା ଦଳ ଆସନ୍ତା ୨୮ ତାରିଖରେ ଚେନ୍ନାଇ ସହ ଫାଇନାଲ ଖେଳିବ ।
Follow Us