ଋଷିଆର କରୋନା ଟିକା ଘୋଷଣା କରିବା ପରେ ସର୍ତ୍ତ ରଖିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କହିଲା, ବ୍ୟବହାର ପୂର୍ବରୁ ସୁରକ୍ଷାର କଡା ଯାଂଚ ନେଇ ରହିଛି ଆବଶ୍ୟକତା ; ଋଷର ସ୍ୱାସ୍ଥ୍ୟ ବିଭାଗ ସହିତ ଚାଲିଛି ବିଚାର ବିମର୍ଶ 

514

କନକ ବ୍ୟୁରୋ : କରୋନା ଟୀକାର ବ୍ୟବହାରିକ ପଞ୍ଜିକରଣ ପରେ ଏବେ ସାରା ବିଶ୍ୱର ନଜର ଏବେ ଋଷ ଉପରେ । କରୋନାରୁ ବଂଚିବା ପାଇଁ ସାରା ବିଶ୍ୱ ଏବେ ଟୀକା ଅପେକ୍ଷାରେ ରହିଛି । ବିଶ୍ୱର ଅନେକ ଦେଶ ଏବେ ଟୀକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ବର୍ତମାନ ଯାଏ କେବଳ ଅକ୍ସଫୋର୍ଡ ଟୀକା ଉପରେ ଆଲୋଚନା ହେଉଥିଲା । କିନ୍ତୁ ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦାବି କରିଛନ୍ତି, ବିଶ୍ୱର ପ୍ରଥମ କରୋନା ଟୀକା ତିଆରି ହୋଇସାରିଛି । ଏହାକୁ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ବି ଦେଇଛି । ଖୋଦ ପୁଟିନ ତାଙ୍କ ଝିଅଙ୍କୁ କରୋନାର ପ୍ରଥମ ଟୀକା ଦେଇଛନ୍ତି । ଏହି ଦାବି ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବଡ ପ୍ରଶ୍ନ ହେଉଛି, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଟୀକାକୁ କଣ ମଞ୍ଜୁରୀ ଦେବ । ଯଦି ମଞ୍ଜୁରୀ ଦିଏ, ତାହା ହେଲେ ଏହା ଆଗକୁ କେମିତି ବଢିବ । ଭାରତ କଣ ଏହି ଟୀକାକୁ ଆଣିବ ।

ଏବେ ୧୦ ପଏଣ୍ଟରେ ଜାଣିବା ଏହି ଟୀକା ସମ୍ପର୍କରେ କିଛି ପ୍ରମୁଖ କଥା :- 
୧ . ମଙ୍ଗଳବାରଦିନ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି, ଏହି କରୋନା ଟୀକା ହେଉଛି ବିଶ୍ୱର ପ୍ରଥମ କରୋନା ଟୀକା । ଦୁଇମାସ ହ୍ୟୁମାନ ଟ୍ରାଏଲ ପରେ ଏହି ଟୀକାକୁ ମଞ୍ଜୁରୀ ଦିଆଯାଇଛି ।

୨. ଏହି ଟୀକାର ନାଁ ହେଉଛି ସ୍ପୁଟନିକ ‘ଭି’ . ଆଉ ଏହି ନାଁ ବି ବେଶ ଖାସ । ସ୍ପୁଟନିକ ଦୁନିଆର ପ୍ରଥମ ସାଟେଲାଇଟ । ଏହାକୁ ୧୯୫୭ ମସିହାରେ ସୋଭିଏତ ସଂଘ ଲଂଚ କରିଥିଲା । ଏହି ସାଟେଲାଇଟ ଅନୁସାରେ ବିଶ୍ୱର ପ୍ରଥମ କରୋନା ଟୀକାର ନାମକରଣ କରାଯାଇଛି ।
୩ . ପୁଟିନ କହିଛନ୍ତି, କରୋନା ଟୀକାର ପ୍ରଥମ ବ୍ୟବହାର ତାଙ୍କ ଝିଅଙ୍କ କ୍ଷେତ୍ରରେ ହୋଇଛି । ପୁଟିନଙ୍କ ଦୁଇଟି ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ସାମାନ୍ୟ ଜ୍ୱର ଥିଲା । କରୋନା ପରୀକ୍ଷା ପଜିଟିଭ ଆସିବା ପରେ ତାଙ୍କୁ ଟୀକାର ପ୍ରଥମ ଡୋଜ ଦିଆଯାଇଛି । ଏହି ଡୋଜ ପରେ ପୁଟିନଙ୍କ ଝିଅଙ୍କ ଜ୍ୱର କମ ହୋଇଛି ।

୪. ଋଷର ଗାମାଲିଆ ନ୍ୟାସନାଲ ସେଂଟର ଏହି କରୋନା ଟୀକାରୁ ତିଆରି କରିଛି ।
୫. ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗାମାଲିଆ ନ୍ୟାସନାଲ ସେଂଟର ମିଳିତ ଭାବେ ସ୍ପୁଟନିକ ଭିକୁ ପ୍ରସ୍ତୁତ କରିଛନ୍ତି । ଏହାର କ୍ଲିନିକାଲ ଟ୍ରାଏଲ ଶହେପ୍ରତିଶତ ସଫଳ ହୋଇଥିବା ଦାବି କରାଯାଇଛି । କ୍ଲିନିକାଲ ଟ୍ରାଏଲ ୧୮ ଜୁନରେ ଆରମ୍ଭ ହୋଇଥିଲା । ଏହି ଟ୍ରାଏଲର ୩୮ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

୬. ଋଷ ଟୀକାର ଫାଇନାଲ ଟ୍ରାଏଲ ଏବେ ବି ବାକି ଅଛି । ଏହି ସମୟରେ ଏହାର ମଞ୍ଜୁରୀ ନେଇ ବି ପ୍ରଶ୍ନ ଉଠିଛି । ଋଷ କମ୍ପାନୀ ରିଷ୍ଟେମା କହିଛି, ଚଳିତବର୍ଷ ଶେଷସୁଦ୍ଧା ଟୀକାର ବହୁଳ ଉତ୍ପାଦନ ଆରମ୍ଭ ହେବ ।

୭. ଋଷର ଦାବି ଅନୁସାରେ, ପ୍ରାୟ ୨୦ରୁ ଅଧିକ ଦେଶ ପ୍ରାୟ ୧ ବିଲିୟନ ଡୋଜ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେପଟେମ୍ବରରେ ଏହାର ଉତ୍ପାଦନ ଆରମ୍ଭ ହେବ ଓ ଅକ୍ଟୋବରରେ ଏହାକୁ ବଢାଯିବ ।
୮.ସବୁଠାରୁ ବଡ କଥା ହେଲା, ଟୀକାର ଫେଜ-୩ ଟ୍ରାଏଲ ପୂର୍ବରୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ମଞ୍ଜୁରୀ ଦେଇଛି । ଏହି ଫେଜରେ ଲୋକଙ୍କ ଦେହରେ ପରୀକ୍ଷଣ ହେବ । ଏହାପରେ ଲୋକଙ୍କ ବ୍ୟବହାର ପାଇଁ ଅନୁମତି ମିଳିବ ।
୯. ଟୀକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୟୁଏଇ, ସାଉଦି ଆରବ , ଫିଲିପାଇନ୍ସ ଏବଂ ବ୍ରାଜିଲ ସାମିଲ ହେବେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟ ପହିଲାରେ ଶେଷ ହୋଇଛି ।
୧୦. ବିଶ୍ୱ ସ୍ୱାସ୍ୟ ସଙ୍ଗଠନ କହିଛି, ଏହି ଟୀକା ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି । ପ୍ରଶ୍ନ ଉଠୁଛି, ଫେଜ-୩ ପୂର୍ବରୁ ଉତ୍ପାଦନ ପାଇଁ ଲାଇଲେନ୍ସ ଜାରି କରିବା କେତେଦୂର ଯୁକ୍ତିଯୁକ୍ତ ।