ବିକାଶ ବାଟ ଓଗାଳିଛି କିଏ ? ଏବେ ବି ଗାଁ ଭିତରକୁ ନାହିଁ ନିତିଦିନିଆ ଯିବା ରାସ୍ତା, ଶବ ଆଣିବା ଲାଗି ଯାଇପାରିଲା ନାହିଁ ଗାଡି, ୩ କିମି କାନ୍ଧରେ ଶବ ବୋହିଲେ ସମ୍ପର୍କୀୟ

65

କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ । କାନ୍ଧରେ ବୋହି ବୋହି ପ୍ରାୟ ୩ କିଲୋମିଟର ଆଣିଲେ ଶବକୁ । ଏପରି ଘଟଣା ଉପାନ୍ତ ଅଂଚଳରେ ବିକାଶର ପାଦ ଚିହ୍ନକୁ ପୁଣି ଥରେ ସାମ୍ନାକୁ ଆଣିଛି । ପଦ୍ମପୁର ଉପଖଣ୍ଡ କନସିଂହା ପଂଚାୟତ ବଇଦପାଲି ଗାଁର ବିହାରୀ ନେଟି କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ ।

ବରଗଡର ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ସେ ସୁସ୍ଥ ନହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ ଗାଡିରେ ଗାଁଙ୍କୁ ଅଣାଯାଉଥିଲା ବିହାରୀଙ୍କ ମୃତ ଦେହ । ତେବେ ବଇଦପାଲିକୁ ଆଜି ଯାଏଁ ବି ନାହିଁ ରାସ୍ତା ଖଣ୍ଡିଏ । ତିଆରି ହୋଇଥିବା ପୋଲଟି ଭାଂଗି ଯାଇଥିବାରୁ ନାଳ ପାର ହୋଇ ପାଣିରେ ଯାଉଛନ୍ତି ଗାଁ ଲୋକେ । ଏପରି ସ୍ଥିତିରେ ଭଂଗା ପୋଲର ଆରପଟେ ଅଟକିଥିଲା ଗାଡି ।

ଆଉ ଖଟିଆରେ ସମ୍ପର୍କୀୟ ପ୍ରାୟ ୩ କିଲୋମିଟର ବାଡ ଶବକୁ କାନ୍ଧ ଦେଇ ଗାଁକୁ ଆଣିଥିଲେ । ୭ ବର୍ଷ ହେଲାଣି ଗାଁକୁ ସଂଯୋଗ କରୁଥିବା ପୋଲଟି ଭାଂଗି ଯାଇଛି । କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ଏହି ପରି ଖଟିଆ କିଂବା ଦୋଳା ଭରସାରେ ଡାକ୍ତରଖାନା ଯାଉଛନ୍ତି ଲୋକେ । ବାରମ୍ୱାର ପ୍ରଶାସନକୁ ଜଣାଇଲେ କେହି ଗୁହାରି ଶୁଣୁନଥିବା ସ୍ଥାନୀୟ ଲୋକେ କହିଛନ୍ତି ।