ରାଜଧାନୀରେ ଟିକାକରଣରେ ଥିବା ଅବ୍ୟବସ୍ଥା ସବୁ ସୀମା ଟପିଛି । ଲକ୍ଷ ଲକ୍ଷ ଲୋକ ଟିକା ନେବାକୁ ଅପେକ୍ଷା କରିଥିବାବେଳେ ବିଏମ୍‌ସି ପ୍ରାୟ ୭୦ରୁ ୮୦ହଜାର ଲୋକଙ୍କୁ ଟିକା ଦେବା ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କରିଥିଲା । ହେ‌ଲା କୋୱିନ୍‌ ୱେବସାଇଟ୍‌ରେ ବିଏମ୍‌ସି ଏପରି ଢଙ୍ଗରେ ସ୍ଲଟ୍ ଛାଡ଼ିଥିଲା ଯେ, କାହାର ବୁକିଂ ହେଲାନି । କିନ୍ତୁ ସବୁ ବୁକିଂ ଦେଖାଉଥିବାରୁ ସମସ୍ତଙ୍କ ପ୍ରଶ୍ନ ଥିଲା ଯେ, ସ୍ଲଟ୍ କିଏ ପାଇଲା ?

Advertisment

ବୁଧବାର ସଂଧ୍ୟା ୬ଟାରୁ ୧୮ରୁ ୪୪ବର୍ଷ ବୟସ୍କ ଏବଂ ୪୫ବ‌ର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟିକାକରଣ ପାଇଁ କୋୱିନ୍‌ ଆପ୍‌ରେ ନାମ ପଞ୍ଜୀକରଣ ଓ ସ୍ଲଟ୍ ବୁକିଂ ଥିଲା। ଏନେଇ ଅପରାହ୍ନ ୪ଟାବେଳେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ରରେ ସୂଚନା ଦିଆଯାଇଥିଲା। ଏହାପରେ ଲୋକମାନେ ଅପରାହ୍ନ ୫ଟା ୩୦ରୁ କମ୍ପୁଟର ଆଗରେ ଚାତକ ଭଳି ଚାହିଁ ବସିଥିଲେ । ପୂର୍ବରୁ ବହୁବାର ଚେଷ୍ଟା କରି ସ୍ଲଟ୍ ପାଇନଥିବା ଲୋକମାନେ ଏଥର ଯେମିତି ହେଲେ ସ୍ଲଟ୍ ପାଇ‌ଯିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସ୍ଲଟ୍ ମିଳିଲାନି । ସ୍ଲଟ୍‌ ଏମିତି ଲୁଚକାଳି ଖେଳିଲା ଯେ, ଲୋକ ସ୍ଲଟ୍ ଖାଲି ଅଛି ବୋଲି ଦେଖିଲେ, କିନ୍ତୁ ବୁକିଂ କଲା ବେଳକୁ ସବୁ ସ୍ଲଟ୍ ବୁକିଂ ହୋଇଯାଇଥିବା ଦେଖାଇଥିଲା । ବିଏମ୍‌ସି ପକ୍ଷରୁ ଆଜି ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ହୋଇଥିଲା। ସଂଧ୍ୟା ୬ଟାରୁ କୋୱିନ୍‌ ଆପ୍‌ରେ ସ୍ଲଟ୍ ବୁକିଂ ଅପ୍ସନ ଆସିଥିଲା। ହେଲେ ‌ୱେବସାଇଟ୍‌ ଖୋଲୁଖୋଲୁ ସବୁ ବୁକିଂ ହୋଇଯାଇଥିବା ଦେଖାଇଥିଲା। ୧୮ବର୍ଷରୁ ଉର୍ଦ୍ଧ୍ବ ଓ ୪୫ବର୍ଷରୁ ଉର୍ଦ୍ଧ୍ବ କାହାର ବି ବୁକିଂ ହୋଇପାରିନଥିଲା ।

ହଠାତ୍ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର/ଟିକାକରଣ କେନ୍ଦ୍ରରେ କେଉଁଠି ୨୦୦ ତ କେଉଁଠି ୧୦ଟା ସ୍ଲଟ୍ ଥିବା ଦେଖାଇଥିଲା । ଏହାପରେ ତାହା ଉପରେ କ୍ଲିକ୍ କରି ବୁକିଂ କଲାବେଳକୁ କାପ୍‌ଚା ଟାଇପ୍ କରିବାକୁ କହୁଥିଲା । କିନ୍ତୁ କାପ୍‌ଚା ଟାଇପ୍ କରିବା ପରେ ଲେଖୁଥିଲା ସବୁ ସ୍ଲଟ୍ ବୁକିଂ ହୋଇଯାଇଛି । କିନ୍ତୁ ୨୦୦ ସ୍ଳଟ୍ ଥିବା ଟିକାକରଣ କେନ୍ଦ୍ରରେ କିଛି ସମୟ ପରେ ପୁଣି ୧୯୫କି ୧୯୦ ସ୍ଲଟ୍ ଥିବା ଦେଖାଉଥିଲା । ହେଲେ ବୁକିଂ ନେଉନଥିଲା। ଏହିପରି ଆଜି ଲକ୍ଷାଧିକ ଟିକା ଆଶାୟୀ ହଇରାଣ ହୋଇଛନ୍ତି । ଏନେଇ ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ, ୧୮ରୁ ୪୪ବର୍ଷ ବୟସ୍କ ଲୋକଙ୍କର ସ୍ଲଟ୍ ସବୁ ବହୁତ କମ୍‌ ସମୟରେ ବୁକିଂ ହୋଇଯାଇଥିଲା । ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର କିଛି ସ୍ଳଟ୍ ଖାଲି ଅଛି । ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ କମ୍‌ ଟିକା ଥିବାବେଳେ ଅଧିକ ଲୋକ ବୁକିଂ କରିବାରୁ କମ୍‌ ସମୟରେ ବୁକିଂ ହୋଇଯାଇଥିଲା । କେତେକ ଟିକାକରଣ କେନ୍ଦ୍ରରେ ସବୁ ସ୍ଲଟ୍ ବୁକିଂ ହେବା ପରେ ପୁଣି ସ୍ଲଟ୍ ଦେଖାଇବା କୋୱିନ୍ ଆପ୍ଲିକେସନ୍‌ରେ ତ୍ରୁଟି ଥିବା ଅନୁମାନ କରୁଛୁ। ତେଣୁ ଏହାକୁ ଆମେ ଧ୍ୟାନ ଦେବୁ ।