କୁଆଡେ ମନ ବଳାଇବେ ମହିଳା ଭୋଟର? ରାହୁଲଙ୍କ ପ୍ରତିଶୃତି ବନାମ ନବୀନଙ୍କ ଘୋଷଣା

116

କନକ ବ୍ୟୁରୋ : ରାଜ୍ୟରେ ଏବେ ନିର୍ବାଚନ ଝାଞ୍ଜି ପବନ ବହିବା ଆରମ୍ଭ ହେଲାଣି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ ମୈଦାନକୁ ଓହ୍ଲାଇବାକୁ ଶେଷ ପ୍ରସ୍ତୁତି ଚଳାଇଛନ୍ତି । ୩ ପ୍ରମୁଖ ଦଳର ଦଳପତି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀଙ୍କ ମନରେ ଜୋଶ ଭରିବା ସହ ସଙ୍ଗଠନକୁ ସଦୃଢ କରିବାରେ ଲାଗିଛନ୍ତି । ଏହିକ୍ରମରେ ଆଜି ରାହୁଲ କୋରାପୁଟର ଜୟପୁର ଗସ୍ତରେ ଆସି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ କଣ କରିବ ସେନେଇ ବଡ ବଡ ପ୍ରତିଶୃତି ଦେଇଛନ୍ତି । ଯାହା ଦର୍ଶାଉଛି ନିର୍ବାଚନ ଜିତିବା ପାଇଁ ରାହୁଲଙ୍କ ଫୋକସରେ ରହିଛନ୍ତି ମହିଳା । କେବଳ ରାହୁଲ ନୁହେଁ ନବୀନଙ୍କ ଫୋକସରେ ମଧ୍ୟ ମହିଳା ରହିଛନ୍ତି ।

ଜୟପୁର ଗସ୍ତରେ ଆସି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି । ଏହାଛଡା ମହିଳା ଦିବସରେ ରାଜ୍ୟର ମହିଳା ମାନଙ୍କ ପାଇଁ ପ୍ରତିଶୃତିର ପାହାଡ ଛିଡା କରିଛନ୍ତି ରାହୁଲ । ମହିଳାଙ୍କୁ ଖୁସ୍ କରିବାକୁ ଯାଇ ରାହୁଲ କହିଛନ୍ତି, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଢେ ତେବେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା ଦିଆଯିବା ସହ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏପରିକି ବିଧବା ମହିଳା ମାନଙ୍କୁ ପେନସନ ଅର୍ଥ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ନ୍ୟାୟ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ସ୍ୱତନ୍ତ୍ର ଅଫିସର ନିଯୁକ୍ତ କରାଯିବ ବୋଲି କହିଛନ୍ତି ରାହୁଲ । ଏହାସହ ଛୋଟ ବ୍ୟବସାୟ କରୁଥିବା ମହିଳାଙ୍କ ପାଇଁ ଫାଇନାନ୍ସିଆଲ କର୍ପୋରେସନ ଗଠନ କରାଯିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ । ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳି ଭୋଟ ହାତେଇବାକୁ ରାହୁଲ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।

naveenତେବେ ରାହୁଲଙ୍କ ଘୋଷଣା ପୂର୍ବରୁ ନବୀନଙ୍କ ଫୋକସରେ ରହି ଆସିଛନ୍ତି ମହିଳା । ମହିଳାଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ପ୍ରମାଣିତ କରିଛନ୍ତି । ଏସଏଚଜିଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ନବୀନ ସରକାର ଘୋଷଣା କରିଥିବା ବେଳେ ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଓ ଡିଜିଟାଲ ସଶକ୍ତୀକରଣ ପାଇଁ ସହାୟତା ଦିଆଯିବା ସହ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ କରିଥିବା ରାଜ୍ୟ ସରକାର କହି ଆସୁଛନ୍ତି । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସୁବିଧା, ବିଧାନସଭା, ଲୋକସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ୨୨ଟି ରାଜନୈତିକ ଦଳକୁ ଚିଠି ଲେଖି ମହିଳାଙ୍କୁ ହକ୍ ଦେବା ପାଇଁ ଲଢେଇ ଜାରି ରଖିଥିବା ସଂକେତ ଦେଇଛନ୍ତି ନବୀନ । ଏହାଛଡା ସଶକ୍ତ ମହିଳା, ସୁଦୃଢ ଓଡିଶା ଆହ୍ୱାନ ଦେଇ ନବୀନ ସରକାର ଆଗକୁ ବଢୁଛନ୍ତି ।

ତେବେ ମହିଳାଙ୍କ ଉପରେ କାହିଁକି ଫୋକସ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହା ପଛର ମୁଖ୍ୟ କାରଣ ହେଉଛି ମହିଳା ଭୋଟବ୍ୟାଙ୍କ । ମହିଳା ଭୋଟବ୍ୟାଙ୍କ ହିଁ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ସାଜିବ । ଅଥାର୍ତ ଯିଏ ମହିଳାଙ୍କ ମନ ଜିଣିପାରିଲା ସେହି ଦଳ ହିଁ ବିଜୟ ବାନା ଉଡାଇବ । ଏଭଳି କହିବା ପଛର କାରଣ ହେଉଛି, ରାଜ୍ୟରେ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ଭୋଟର ରହିଛନ୍ତି । ଯାହା ମୋଟ ଭୋଟରଙ୍କ ୪୮.୬୨ ପ୍ରତିଶତ । ତେଣୁ ମହିଳା ଆଗାମୀ ନିର୍ବାଚନରେ ଗେମଚେଞ୍ଜର ସାଜିପାରନ୍ତି । ଯଦି ୨୦୧୪ ନିର୍ବାଚନ କଥା କହିବା ତେବେ ଅଧିକାଂଶ ଭୋଟ ଶିବିରକୁ ଯାଇଥିଲା । ଯାହା ବିଜେଡିକୁ ଚତୁର୍ଥ ଥର ପାଇଁ ଶାସନଗାଦିରେ ବସିବାରେ ସାହାଯ୍ୟ କରିଥିଲା ।