ବିଶ୍ୱକପ ପାଇଁ ଭାରତୀୟ ଟିମରେ ୧୨ ଜଣଙ୍କ ସ୍ଥାନ ଏକରକମ ପକ୍କା । ବାକି ୩ଟି ସ୍ଥାନ ପାଇଁ ଦାବିଦାର ଅନେକ

941

ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବାକୁ ଥିବା ଆଗାମୀ କ୍ରିକେଟ ବିଶ୍ୱକପକୁ ଆଉ ମାତ୍ର ମାସ କେଇଟା ବାକି ରହିଛି । କ୍ରିକେଟର ଏହି ମହାକୁମ୍ଭରେ ଭାଗ ନେବା ପୂର୍ବର ଟିମ୍ ଇଣ୍ଡିଆ ଆଉ ମାତ୍ର ୭ଟି ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବ । ଆଉ ଏଭଳି ସମୟରେ ବିଶ୍ୱକପ ପାଇଁ ଖେଳାଳି ଚୟନ ନେଇ ଚୟନକର୍ତ୍ତାଙ୍କ ପାଖରେ ଖୁବ୍ କମ ସମୟ ରହିଛି । ଏଥିପାଇଁ ଖେଳାଳିଙ୍କ ପ୍ରଦର୍ଶନ ଉପରେ କଡ ନଜର ରଖିଛନ୍ତି ଚୟନକର୍ତ୍ତା ।

ବିଶ୍ୱକପ-୨୦୧୯ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇବାକୁ ଥିବା ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୧୨ ଜଣଙ୍କ ନାଁ ଏକରକମ ସ୍ଥିର ହୋଇଯାଇଥିବା ବେଳେ ବାକି ୩ଟି ସ୍ଥାନ ପାଇଁ ଅନେକ ଦାବିଦାର ରହିଛନ୍ତି । ଏହି ଦୌଡରେ ବ୍ୟାଟସମ୍ୟାନ ଓ ଦ୍ୱିତୀୟ ୱିକେଟ କିପର ଭାବେ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ ରହିଛନ୍ତି । ତେବେ ୨୧ ବର୍ଷୀୟ ପନ୍ତ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ପାଲଟି ପାରନ୍ତି ।

ସେହିଭଳି ବୋଲର ତାଲିକାରେ ଖଲିଲ ଅହମ୍ମଦ, ଉମେଶ ଯାଦବ ଓ ବିଜୟ ଶଙ୍କର ଏହି ରେସରେ ରହିଛନ୍ତି । ଯେଉଁଥିରେ ବିଜୟ ଶଙ୍କର ଟିମରେ ସ୍ଥ୍ାନ ପାଇବା ସମ୍ଭାବନା ଅଧିକ ରହିଛି । ୨୮ ବର୍ଷୀୟ ବିଜୟ ଦ୍ୱିତୀୟ ଅଲରାଉଣ୍ଡର ଭାବେ ବିଶ୍ୱକପ ଦଳରେ ସ୍ଥାନ ପାଇପାରନ୍ତି । ସେହିଭଳି ବିଶ୍ୱକପ ପାଇଁ ଦ୍ୱିତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଓ ମିଡିଲ ଅର୍ଡର ବ୍ୟାଟସମ୍ୟାନ ବିକଳ୍ପ ଉପରେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ରହିଛି । ଏହି ସ୍ଥାନ ପାଇଁ ଆଜିଙ୍କ୍ୟ ରାହାଣେ ଓ କେଏଲ ରାହୁଲଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ । ତେଣୁ ଉଭୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଓ ଆଇପିଏଲର ପ୍ରଦର୍ଶନ ଆଧାରରେ ବିଶ୍ୱକପ ଟିକେଟ ମିଳିବ ।

କେଉଁ ୧୨ ଜଣଙ୍କୁ ଟିମରେ ମିଳିପାରେ ସ୍ଥାନ :
ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର,ଯଶପ୍ରୀତ ବୁମରାହା ଓ ମହମ୍ମଦ ସାମି