ରାଜ୍ୟସଭା ପାଇଁ ଲବି ଜୋରଦାର । ପାୱାର କରିଡରରେ ଲବି କଲେ ପୁରୁଖା ନେତା, ସଂଜୟ ଦାସବର୍ମାଙ୍କୁ ଥଇଥାନ ପରେ ହାରିଥିବା ନେତାଙ୍କ ବଢିଲା ଆଶା ।

505

କନକ ବ୍ୟୁରୋ : ଲୋକ କରିଥିଲେ ପ୍ରତ୍ୟାଖ୍ୟାନ, ଏବେ ଦଳ କରିବ ଥଇଥାନ । ରାଜ୍ୟସଭା ପାଇଁ ଏବେ ଆରମ୍ଭ ହୋଇଯାଇଛି ଲବି । ଖାସ କରି ସଂଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ଯିବେ କି ନାହିଁ ବୋଲି ପଚାରିବା ପରେ ଏବେ ନିର୍ବାଚନରେ ହାରି ଯାଇଥିବା ବରିଷ୍ଠ ବିଜେଡି ନେତାମାନେ ତୃତୀୟ ମହଲାକୁ ଯାଇ ଲବି ଆରମ୍ଭ କରିଛନ୍ତି, ଏବଂ ରାଜ୍ୟସଭା ରେସ୍ ସରଗରମ ହୋଇଛି ।

ବ୍ରହ୍ମଗିରି ବିଧାନସଭା ଆସନରୁ ପରାଜିତ ହୋଇଥିବା ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦବୀ ମିଳିବା ପରେ ଗତ ନିର୍ବାଚନରେ ହାରିଥିବା ନେତାଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । ବେଶ କିଛି ମାସ ଧରି ନିରବ ରହିଥିବା ବେଳେ ଏବେ ଏହି ନେତାମାନେ ସକ୍ରିୟ ହୋଇ ଉଠିଛନ୍ତି । ଆଗକୁ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଥିବାରୁ ପାୱାର କରିଡରରେ ଆରମ୍ଭ ହୋଇଯାଇଛି ଜୋରଦାର ଲବି ।

ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ହାରିଥିବା ରବୀନ୍ଦ୍ର ଜେନା, କଳାହାଣ୍ଡିରୁ ହାରିଥିବା ପୁଷ୍ପେନ୍ଦ୍ର ସିଂଦେଓ, ଭୁବନେଶ୍ୱର ଲୋକସଭା ଆସନରୁ ପରାଜିତ ହୋଇଥିବା ଅରୂପ ପଟ୍ଟନାୟକ ପ୍ରମୁଖ ରାଜ୍ୟସଭା ଦୌଡ଼ରେ ରହିଛନ୍ତି । ରାଜ୍ୟସଭା ପାଇଁ ନଳିନୀ ପ୍ରଧାନ ଓ କଳିକେଶ ସିଂଦେଓ ମଧ୍ୟ କ୍ଷମତା କେନ୍ଦ୍ରରେ ଲବି କରୁଥିବା ଚର୍ଚ୍ଚା ହେଉଛି । ଆଶାୟୀ ନେତାମାନଙ୍କୁ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଲୋକସେବା ଭବନରେ ।

ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭା ଆସନ ବିଜେପି ହାତରେ ରହିଛି । ତେଣୁ ପଶ୍ଚିମ ଓଡ଼ିଶା ନେତାଙ୍କୁ ରାଜ୍ୟସଭାକୁ ବିଜେଡି ପଠାଇବ ବୋଲି ଚର୍ଚ୍ଚା ହେଉଛି । ସଂଖ୍ୟା ଦୃଷ୍ଟିରୁ ୩ଟି ରାଜ୍ୟସଭା ଆସନ ଅନାୟାସରେ ଜିତିଯିବ ବିଜେଡି । ଚତୁର୍ଥ ଆସନ ପାଇଁ ଚାଲିଛି ଅଙ୍କକଷା । ଏପଟେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି କିଛି ଅପ୍ରତ୍ୟାଶିତ ନିଷ୍ପତି ମଧ୍ୟ ନିଆଯାଇପାରେ ବୋଲି ଆଲୋଚନା ହେଉଛି ।