କାହାକୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ? ଥରେ ନଜର ପକାନ୍ତୁ ପୂରା ତାଲିକା ଉପରେ । 

480

କନକ ବ୍ୟୁରୋ : ବଲାଙ୍ଗୀର ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ବଲାଙ୍ଗୀରବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି ନବୀନ । ବଲାଙ୍ଗୀରର ସାଢେ ୪ ଲକ୍ଷ ପରିବାରକୁ ଏହି ସ୍ମାର୍ଟ କାର୍ଡ ଦିଆଯିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗକୁ ଚିକିତ୍ସା ପାଇଁ ଆଉ ଭିନ୍ନ ଭିନ୍ନ କାଗଜପତ୍ରର ଆବଶ୍ୟକତା ପଡିବନି କେବଳ ସ୍ମାର୍ଟ କାର୍ଡ ଦେଖାଇଲେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।

ତେବେ କେଉଁମାନେ ଏହି ସ୍ମାର୍ଟ ହେଲଥ କାର୍ଡରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ? ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି  ଅନପୂର୍ଣ୍ଣା, ଅନ୍ତୋଦୟ, ବିଜୁ କୃଷକ କଲ୍ୟାଣ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ଆୟ ସ୍ୱଳ୍ପ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।