କଟକୀ ନେତାଙ୍କ ପାଇଁ ବିଜେଡିର ନୂଆ ଫର୍ମୁଲା! ବାପାଙ୍କ ବଦଳରେ ପୁଅଙ୍କୁ ମିଳିପାରେ ଟିକେଟ, ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ।

714

କନକ ବ୍ୟୁରୋ : ଏଥର ବାପା ନୁହେଁ ପୁଅ ପାଇବେ ଟିକେଟ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନଥିଲେ ମଧ୍ୟ କଟକ ଜିଲ୍ଲାର ଦୁଇଟି ହାଇପ୍ରୋଫାଇଲରେ ଆସନରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଚୌଦାର-କଟକ ଓ ବାଙ୍କୀ ଆସନରେ ବିଜେଡିର ଦୁଇ ହେଭିୱେଟଙ୍କ ବଦଳରେ ତାଙ୍କର ପୁଅଙ୍କୁ ଚଳିତଥର ନିର୍ବାଚନ ମୈଦାନରେ ଦେଖିବାକୁ ମିଳିବ । ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ବିଜେଡି ଟିକେଟରେ ତାଙ୍କର ପୁଅ ନିର୍ବାଚନ ରଣକ୍ଷେତ୍ରଙ୍କୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଏନେଇ ସୋସିଆଲ ମିଡିଆରେ ମଧ୍ୟ ଏହି ଚର୍ଚ୍ଚା ଓ ସମ୍ଭାବନାକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

କଟକର ଦୁଇ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ପାଇବେ ବିଜେଡି ଟିକେଟ । ଏଭଳି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ବିଜେଡି ଉପକୂଳ ଓଡିଶା ଆସନ ଗୁଡିକରେ ପ୍ରାର୍ଥୀ ଦେବା ପାଇଁ ଅଙ୍କ କଷୁଛି । ଆଉ ଏସବୁ ଭିତରେ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନୂଆ ମୁହଁ ଭାବେ ସାମ୍ନାକୁ ଆଣିପାରେ ବିଜେଡି । ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପୁଣିଥରେ ଦଳ ତାଙ୍କୁ ଟିକେଟ ଦେଇ ରିସ୍କ ନେବାକୁ ଚାହୁଁନାହିଁ ।

ବିରୋଧୀ ଚିଟଫଣ୍ଡକୁ ବଡ ନିର୍ବାଚନୀ ମୁଦ୍ଦା କରିଥିବା ବେଳେ ଏଥିରେ ଛନ୍ଦି ହୋଇଥିବା ନେତାଙ୍କୁ ଟିକେଟ ଦେଇ ଦଳ ପୁଣିଥରେ ବ୍ୟାକଫୁଟକୁ ଯିବାକୁ ଚାହୁଁନାହିଁ । ଏପରିକି ପ୍ରଭାତଙ୍କୁ ଟିକେଟ ନ ଦେଇ ଅସନ୍ତୋଷ କରିବାକୁ ମଧ୍ୟ ଚାହୁଁନାହିଁ ଦଳ । ତେଣୁ ସନ୍ତୁଷ୍ଟି ଫର୍ମୁଲାରେ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ ଦେବାକୁ ବିଜେଡି ଷ୍ଟ୍ରାଟେଜିଷ୍ଟ ମାନେ ବ୍ଲୁ-ପ୍ରିଣ୍ଟ କରିଥିବା ଚର୍ଚ୍ଚା ହେଉଛି ।

ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଥିବା ଦେବୀ ରଞ୍ଜନ ମଧ୍ୟ ଏହା ମଧ୍ୟରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ନିଜର ଜନସର୍ମ୍ପକ ବଢାଉଥିବା ଦେଖିବାକୁ ମିଳିଛି । ଏପରିକି ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଛାତ୍ର ଓ ଯୁବବର୍ଗଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଦେବୀରଞ୍ଜନଙ୍କୁ ଦଳ ଟିକେଟ ଦେଉଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ । ଏହାଛଡା ଯଦି ଦେବୀରଞ୍ଜନଙ୍କୁ ଟିକେଟ ମିଳେ ତେବେ ନୂଆମୁହଁ ଭାବେ ବିରୋଧୀଙ୍କୁ ମାତ୍ ଦେବାରେ ସେ କେତେ ସଫଳ ହେବେ ତାହା ନିର୍ବାଚନ ଫଳାଫଳ କହିବ ।

ସେହିଭଳି କଟକ-ଚୌଦାର ଆସନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇପାରେ । କାରଣ ପ୍ରଭାତ ବିଶ୍ୱାଳଙ୍କ ଦେହରେ ମଧ୍ୟ ଚିଟଫଣ୍ଡର ଦାଗ ଲାଗିଛି । ତେଣୁ ଦଳ ପ୍ରଭାତଙ୍କ ବଦଳରେ ପୁଅ ସୌଭିକଙ୍କ ଉପରେ ଭରସା କରିପାରେ । ଏହାପୂର୍ବରୁ ସିସୋର ଗ୍ରୁପ ସହ ଏକ ଜମି କିଣାବିକା ମାମଲାକୁ ନେଇ ପ୍ରଭାତଙ୍କୁ ୧୯ ସେପ୍ଟେମ୍ବର ୨୦୧୭ରେ ଗିରଫ କରିଥିଲା ସିବିଆଇ । ତେଣୁ ପ୍ରଭାତଙ୍କୁ ଟିକେଟ ଦେଇ ଦଳ ନିଜ ପାଇଁ ଅଡୁଆ ସୃଷ୍ଟି କରିବାକୁ ଚାହୁଁନାହିଁ । ଏହାଛଡା ଏହି ଆସନ ଗୁଡିକରେ ବିଜେଡିର ଦବଦବା ରହିଥିବା ବେଳେ ଏହାକୁ କୌଣସି ବି ପରିସ୍ଥିତିରେ ହାତଛଡା କରିବାକୁ ଚାହୁଁନାହିଁ ବିଜେଡି । ଏହାଛଡା ପ୍ରଭାତଙ୍କୁ ଟିକେଟ ଦେଲେ ଏହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଦଳର ଥିଙ୍କଟ୍ୟାଙ୍କ୍ ଚିନ୍ତା କରୁଛନ୍ତି । ତେଣୁ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ସୌଭିକଙ୍କୁ ଟିକେଟ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।