କେଉଁମାନଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ? ଯେଉଁ କାର୍ଡରେ ମାଗଣାରେ ମିଳିବ ଚିକିତ୍ସା, ଥରେ ନଜର ପକାଇ ନିଅନ୍ତୁ ପୂରା ତାଲିକା ଉପରେ । 

1,377

କନକ ବ୍ୟୁରୋ : ସୁନ୍ଦରଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ପରେ ସୁନ୍ଦରଗଡବାସୀଙ୍କୁ ଏହି କାର୍ଡ ପ୍ରଦାନ କରିଛନ୍ତି ନବୀନ । ଯାହାଦ୍ୱାରା ଏଣିକି ଗରିବ ଲୋକ ମାଗଣାରେ ପାଇପାରିବେ ଚିକିତ୍ସା ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ଯୋଗେ ଚିକିତ୍ସା ସୁବିଧା ମିଳିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗକୁ ଚିକିତ୍ସା ପାଇଁ ଆଉ ଭିନ୍ନ ଭିନ୍ନ କାଗଜପତ୍ରର ଆବଶ୍ୟକତା ପଡିବନି କେବଳ ସ୍ମାର୍ଟ କାର୍ଡ ଦେଖାଇଲେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।

ତେବେ କେଉଁମାନେ ଏହି ସ୍ମାର୍ଟ ହେଲଥ କାର୍ଡରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ? ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି  ଅନପୂର୍ଣ୍ଣା, ଅନ୍ତୋଦୟ, ବିଜୁ କୃଷକ କଲ୍ୟାଣ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ଆୟ ସ୍ୱଳ୍ପ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ  ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି  । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ  ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।