କେଉଁମାନଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ? ଥରେ ନଜର ପକାଇ ନିଅନ୍ତୁ ପୂରା ତାଲିକା ଉପରେ

718

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚି ୧୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ଜିଲ୍ଲା ମୋ ପାଇଁ ସ୍ୱତନ୍ତ୍ର ।ଏହାଛଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୮୨୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ କେ ନାରାୟଣ ରାଓ , ଜଗନ୍ନାଥ ସାରକା ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ କେଉଁମାନେ ଏହି ସ୍ମାର୍ଟ ହେଲଥ କାର୍ଡରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ? ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି  ଅନପୂର୍ଣ୍ଣା, ଅନ୍ତୋଦୟ, ବିଜୁ କୃଷକ କଲ୍ୟାଣ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ଆୟ ସ୍ୱଳ୍ପ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ  ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି  । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ  ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।