କନକ ବ୍ୟୁରୋ : ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ତୃତୀୟ ଡୋଜ ଟିକା । ଦେଶରେ ଓମିକ୍ରନ କାୟା ମେଲାଉଥିବା ବେଳେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ ଟିକାକରଣ ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ଟିକାକରଣ ପୂର୍ବରୁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତୃତୀୟ ଡୋଜ ଟିକା ଦେବା ନେଇ ଗାଇଡଲାଇନ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ତୃତୀୟ ଡୋଜ ଟିକା ନେବା ପାଇଁ ପୂର୍ବରୁ ଦୁଇଟି ଡୋଜ ଟିକା ନେଇଥିବା ଆବଶ୍ୟକ । ଏହାବାଦ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ କିମ୍ବା ୯ ମାସ ପରେ ତୃତୀୟ ଡୋଜ ଟିକା ନେଇପାରିବେ । ସେହିଭଳି ୬୦ ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ଯେଉଁମାନେ ଟିକାର ୨ଟି ଡୋଜ ନେଇସାରିଛନ୍ତି ସେମାନେ ମଧ୍ୟ ୩ୟ ଡୋଜ ଟିକା ନେଇପାରିବେ । ଡାକ୍ତରଙ୍କ ପରାମର୍ଶକ୍ରମେ ତୃତୀୟ ଡୋଜ ଟିକା ନେଇପାରିବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଦ୍ୱିତୀୟ ଡୋଜର ୯ ମାସ ପରେ ତୃତୀୟ ଡୋଜ ନେଇପାରିବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ।
କିଶୋରଙ୍କ ଟିକାକରଣ ପାଇଁ ଆସିଲା ଗାଇଡଲାଇନ୍
ଗାଇଡଲାଇନ୍ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ#Vaccination#KanakNewspic.twitter.com/yMIOOE8N9n— Kanak News (@kanak_news) December 27, 2021
ଅନ୍ୟପଟେ କିଶୋରଙ୍କୁ କୋଭିଡ ଟିକାକରଣ ନେଇ ଜାରି ହୋଇଛି ଗାଇଡଲାଇନ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଆସନ୍ତା ଜାନୁଆରୀ ୩ ତାରିଖରୁ କିଶୋର ମାନଙ୍କୁ କୋଭିଡ ଟିକା ଦିଆଯିବ । କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୦୭ ପୂର୍ବରୁ ଜନ୍ମ ନେଇଥିବା କିଶୋର ମାନଙ୍କୁ ଟିକା ଦିଆଯିବ । କୋ-ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ଟିକା ନେଇପାରିବେ ୧୫ରୁ ୧୮ ବର୍ଷର ପିଲା ।