ଦଳର ସ୍ଥିତି ଟଳମଳ କିନ୍ତୁ ଚାନ୍ଦା ଗୋଟାଇବାରେ ସଫଳ କଂଗ୍ରେସ । ୨୦୧୯-୨୦ ଆର୍ଥିକ ବର୍ଷରେ ଦଳକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା । କପିଲ ସିବଲଙ୍କର ରହିଛି ସବୁଠୁ ଅଧିକ ଯୋଗଦାନ

407

କନକ ବ୍ୟୁରୋ : ଦେଶର ସର୍ବପୂରାତନ ରାଜନୈତୀକ ଦଳ କଂଗ୍ରେସର ସ୍ଥିତି ଏବେ ଦୁର୍ବଳ । ହେଲେ ଦଳକୁ ୨୦୧୯-୨୦ଆର୍ଥିକ ବର୍ଷରେ ମିଳିଛି ୧୩୯ କୋଟି ଟଙ୍କାର ଚାନ୍ଦା । କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦଳକୁ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ପାର୍ଟି ଫଣ୍ଡକୁ ସବୁଠାରୁ ଅଧିକ ଚାନ୍ଦା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବଲ୍ । ସେ ୩ କୋଟି ଟଙ୍କା ଚାନ୍ଦା ଦେଇ ସୂଚୀରେ ସର୍ବାଗ୍ରେ ରହିଛନ୍ତି ।
ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ ଅନ୍ୟମାନଙ୍କ ମଧ୍ୟରେ ଆଇଟିସି ଓ ଏହା ସହିତ ଜଡିତ କମ୍ପାନୀ ମାନେ କଂଗ୍ରେସକୁ ୧୯ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ସେହିଭଳି ପ୍ରୋଡେଣ୍ଟଇଲେକ୍ଟୋରାଲ ଟ୍ରଷ୍ଟ ୩୯ କୋଟି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧ ଲକ୍ଷ ୮ ହଜାର ଟଙ୍କା ଚାନ୍ଦା ଦେଇଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫୪-୫୪ ହଜାର ଟଙ୍କା ଚାନ୍ଦା ଦେଇଛନ୍ତି । ଏହାସହ ଅନ୍ୟ କିଛି କମ୍ପାନୀ ଓ ଦଳର ନେତା ମାନେ ବି ଦଳକୁ ଚାନ୍ଦା ଦେଇଛନ୍ତି । ସମସ୍ତଙ୍କ ଚାନ୍ଦାର ମୋଟ ପରିମାଣ ୧୩୯ କୋଟି ଟଙ୍କା ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।