ଓଡ଼ିଶାରୁ କାହାକୁ ମିଳିବ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ? ପ୍ରଥମ ଥର ୨୦ ଲୋକସଭା ଆସନ ଜିତିଥିବାରୁ ମିଳିପାରେ ତିନି ମନ୍ତ୍ରୀ ପଦ ।

1,148

କନକ ବ୍ୟୁରୋ: କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ତେଣିକି ତାହା ବିଧାନସଭା ହେଉ କି ଲୋକସଭା ।

ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ୩ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ୨୦ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ଏକାଧିକଥର ଲୋକସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସେମାନେ ହେଲେ ଜୁଏଲ ଓରରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ସଂଗୀତ କୁମାରୀ ସିଂଦେଓ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ବିଭୁ ପ୍ରସାଦ ତରାଇ । ଏମାନଙ୍କ ମଧ୍ୟରୁ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ ଆଗରେ ରହିଛି । ଯଦି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ଅନ୍ୟ ୩ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବାଚସ୍ପତି ପଦବୀ ପାଇଁ ଭର୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ, ତାହା ଜୁନ୍୍ ୯ ତାରିଖ ପୂର୍ବରୁ ସ୍ପଷ୍ଟ ହୋଇଯିବ ।