ଯାହା ସନ୍ଦେହ ଥିଲା ତାହା ସତ ପ୍ରମାଣିତ ହେଲା : ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ; ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ

ଲ୍ୟାବରୁ ବ୍ୟାପିବା ନେଇ ମିଳିନି ପ୍ରମାଣ

114

କନକ ବ୍ୟୁରୋ : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଚୀନର ଉହାନରେ କରୋନାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଯାଇଥିବା  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ର ତଦନ୍ତକାରୀ ଦଳ ଖାଲି ହାତରେ ଫେରୁଛନ୍ତି । ଏପରିକି ଏହି ବିଶେଷଜ୍ଞମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୁତାଣୁମୁକ୍ତ ଥିଲା । ତେବେ ବାଦୁଡ଼ି ଶରୀରରୁ କୌଣସିପ୍ରକାରେ ଏହି ଭୁତାଣୁ ମଣିଷ ଶରୀରକୁ ଯାଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଯଥେଷ୍ଠ ପ୍ରମାଣ ମିଳିପାରିନାହିଁ । ପ୍ରକୃତରେ କେଉଁ ପଶୁ ଶରୀରରେ ଏହି ଭୁତାଣୁ ସୃଷ୍ଟି ହୋଇଥିଲା ତାହା ଜଣାପଡ଼ିନାହିଁ ବୋଲି ଏହି ଦଳର ମୁଖ୍ୟ ଲିଆଙ୍ଗ ଓ୍ବାନିଆନ କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ତଦନ୍ତ ପ୍ରାୟ ୧ ବର୍ଷ ବିଳମ୍ବରେ ହେଉଥିବାରୁ କରୋନା ଉତ୍ପତ୍ତି ସଂପର୍କରେ ସେପରି କିଛି ବିଶେଷ ତଥ୍ୟପ୍ରମାଣ ମିଳିବାର ଆଶା କମ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ପୂର୍ବରୁ କହିଥିଲେ । ଉହାନରେ ତଦନ୍ତ ପାଇଁ ଡବ୍ଲୁଏଚଓ ଚୀନ ନିକଟରେ ଗତ ବର୍ଷ ଦାବି କରିଥିଲେ ମଧ୍ୟ ଚୀନ ବହୁ ବିଳମ୍ବରେ ସେମାନଙ୍କୁ ଅନୁମତି ଦେଇଥିଲା ।୨୦୧୯ରେ ଚୀନର ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା  । ଏହାପରେ ଉହାନକୁ ପ୍ରାୟ ୭୬ ଦିନ ପାଇଁ ଲକଡାଉନ କରାଯାଇଥିଲା । ଗତବର୍ଷ ଏପ୍ରିଲ ୮ରେ ଲକଡାଉନ ଖୋଲିବା ପରେ ଉହାନ କରୋନାମୁକ୍ତ ବୋଲି ଚୀନ ସରକାର ଘୋଷଣା କରିଥିଲେ ।