ଗୋଟିଏ ଶବ, ହେଲେ ଏକାଧିକ ଦାବିଦାର: ବାପା ପହଁଚିବା ପୂର୍ବରୁ ପୁଅର ଶବ ଆଉ କିଏ ନେଇ ଯାଇଥିବା ଅଭିଯୋଗ

226

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାକୁ ୬ଦିନ ବିତିଥିବା ବେଳେ ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ସାମ୍ନାକୁ ଆସୁଛି । ଆତ୍ମୀୟ ସ୍ୱଜନଙ୍କୁ ଖୋଜି ଖୋଜି କିଏ ପଶ୍ଚିମବଙ୍ଗରୁ ଆସିଛି ତ ପୁଣି କିଏ ବିହାରରୁ ଧାଇର୍ଁଆସିଛି । ହେଲେ ବିଡମ୍ବନା ହେଉଛି ଏମ୍ସରେ ପହଂଚିବା ପରେ ଅନେକ ଲୋକଙ୍କୁ ନିଜ ପରିବାର ସଦସ୍ୟଙ୍କ ମୃତଦେହ ମିଳୁନାହିଁ । ଏବେ କଣ କରିବେ କିଛି ଜାଣିପାରୁନାହାନ୍ତି । ସେପଟେ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଯାଇଛି ୩୩ ନମୁନା । ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ ।

ପୁଅ ତ ଆଉ ନାହିଁ, ହେଲେ ତା’ର ଶବ ବି ଆଉକିଏ ନେଇ ଚାଲିଗଲା । ପୁଅ ଶିବରାୟ ବିଭୁଲ ରାୟର ଶବ ନେବାକୁ ପଶ୍ଚିମବଙ୍ଗରୁ ଦୌଡ଼ି ଆସିଛନ୍ତି ବାପା ଶିବକାନ୍ତ ରାୟ । ଆଉ ଏଠାରେ ପହଂଚିବା ପରେ ପୁଅର ମୃତଦେହ ଆଉ କେହି ନେଇଯାଇଛି ଜାଣିବାକୁ ପାଇଲେ । ପ୍ରଶ୍ନ କରିବାରୁ ଡିଏନଏ ଟେଷ୍ଟ କରିବାକୁ କହିଲେ କର୍ତୃପକ୍ଷ । ହେଲେ ଡିଏନଏ ରିପୋର୍ଟ ଆସିଲା ପରେ ତାଙ୍କ ପୁଅ ଆଉ ଥିବ କି ନାହିଁ, କୋହଭରା କଣ୍ଠରେ କହିଛନ୍ତି ବାପା ।

ଗଣମାଧ୍ୟମରେ ପ୍ରସାରିତ ଖବରରୁ ନିଜ ସମ୍ପର୍କୀୟ ଦେଖିଲେ । ତା’ ପରେ ବିହାରରୁ ଓଡ଼ିଶାକୁ ଧାଇଁ ଆସିଲେ ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ । ଆହତ ଅବସ୍ଥାରେ ନିଜ ସମ୍ପର୍କୀୟକୁ ଦେଖିଥିଲେ । କିନ୍ତୁ ଓଡ଼ିଶା ଆସିବା ପରେ ଜାଣିଲେ, ତାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫ଜଣଙ୍କ କିଛି ଖୋଜଖବର ମିଳୁନାହିଁ । ବାଲେଶ୍ୱର ଠାରୁ ନେଇ ଭୁବନେଶ୍ୱରର ପ୍ରାୟ ପ୍ରତିଟି ହସ୍ପିଟାଲ ବୁଲି ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କର କୌଣସି ପତା ମିଳିନାହିଁ ।

ସେପଟେ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା । ଦୁଇ ଦିନ ଭିତରେ ଏହି ସବୁ ନମୁନାର ରିପୋର୍ଟ ଆସିବା ନେଇ ସୂଚନା ଦେଇଛନ୍ତି ବିଏମସିି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି, ଏବେ ବି ଅନେକ ମୃତଦେହର ସୂଚନା ମିଳିନି । ଅନ୍ୟପଟେ ଗୋଟିଏ ମୃତଦେହ ପାଇଁ ୬ ଜଣ ଦାବିଦାର ଥିବା ସୂଚନା ମିଳିଛି । ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଡିଏନ୍ଏ ଟେଷ୍ଟ ମାଧ୍ୟମରେ ପରିଚିତ ଚିହ୍ନ ବା ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି । ବାହାନଗା ରେଳ ଦୁର୍ଘଟଣାକୁ ଏହାରି ଭିତରେ ୫ ଦିନରୁ ଅଧିକ ବିତିଯାଇଥିଲେ ବି ଏବେବି ଅନେକ ବ୍ୟକ୍ତି ନିଜ ନିଜର ସମ୍ପର୍କୀୟଙ୍କ ମୃତଦେହ ପାଇବା ଅପେକ୍ଷାରେ ରହିଛନ୍ତି ।